Photo For The News Of Bhalaka

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବିନା ସୂଚନା ଫଳକରେ ଭିତ୍ତିଭୂମି ବିକାଶ କାର୍ଯ୍ୟ

State

ଆଗରପଡ଼ା :ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତି ଭୂମିରେ ସୁଧାର ଆଣିବା ଲାଗି ୯କୋଟି ୯୦ଲକ୍ଷ ଟଙ୍କା ମଂଜୁର ଅର୍ଥରେ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତି ଭୂମି ଉନ୍ନତି କାର୍ଯ୍ୟ ଚାଲିଥିଲେ ସୁଦ୍ଧା ନିର୍ମାଣାଧିନ ସ୍ଥାନରେ ଆଜି ପର୍ଯ୍ୟନ୍ତ ଫଳକ ନିର୍ମାଣ ହୋଇ ନାହିଁ । କୋଟିକୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ ହେଉଥିଲେ ସୁଦ୍ଧା ଉକ୍ତ ଯୋଜନା କ’ଣ ତାହାର କୌଣସି ସୂଚନା ଦିଆନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସରକାର ସୂଚନା ଫଳକ ନିର୍ମାଣ ଓ ସୂଚନା ଲେଖିବା ବାଧ୍ୟତାମୂଳକ କରିଥିବା ଓ ସର୍ବସାଧାରଣରେ ସରକାର କେଉଁ ବିଭାଗରୁ ଅର୍ଥ ପ୍ରଦାନ କରିଛନ୍ତି,କେତେ ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି । କାହା ନାମରେ କାର୍ଯ୍ୟଦେଶ ରହିଛି,କେଉଁ ଅଧିକାରୀ ତଦାରଖ କରୁଛନ୍ତି ଏବଂ କାର୍ଯ୍ୟାଦେଶର ଆରମ୍ଭ ଆଦି ସଂପର୍କରେ ସୂଚନା ଫଳକରେ ଲିପିବଦ୍ଧ ହେବାର ନିୟମ ରହିଥିବା ବେଳେ ବିଭାଗ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରି ଉନ୍ନୟନ କାର୍ଯ୍ୟ କରି ଚାଲିଛନ୍ତି । ତେଣୁ ସର୍ବସାଧାରଣରେ ସୂଚନା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଉକ୍ତ ସମସ୍ୟାକୁ ନେଇ ସଂପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଏଥି ପ୍ରତି ଦୃଷ୍ଟି ଦେବାର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନିର୍ମାଣାଧିନ କାର୍ଯ୍ୟର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଭଦ୍ରକ ,ବାଲେଶ୍ୱର ଓ କେନ୍ଦୁଝର ଏହିପରି ୩ଗୋଟି ଜିଲ୍ଲାର ବାସୀନ୍ଦା ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବାର ସୂଚନା ଫଳକ ନିର୍ମାଣ ଗୁରୁତ୍ୱ ବହନ କରୁଛି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟସ୍ଥଳୀ ନିକଟରେ ସୂଚନା ଫଳକ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି ।