Sagada1

ଶଗଡରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବିଧାୟିକା ପ୍ରାର୍ଥିନୀ

Politics State

ସୁବର୍ଣ୍ଣପୁର  : ସମ୍ପୂର୍ଣ୍ଣ ଦେଶୀ ଷ୍ଟାଇଲରେ ନାମାଙ୍କନ ଦାଖଲ କଲେ ଓଡିଆ ବୋହୂ । ହଁ ଆଜ୍ଞା ଜଣେ ଖାଣ୍ଟି ଓଡିଆଣି ବୋହୂ, ଯିଏ ଶତାଧିକ ଚାଷୀଙ୍କୁ ନେଇ ଶଗଡରେ ପହଁଚିଥିଲେ ନାମାଙ୍କନ ପତ୍ର ଭରିବାକୁ । ଏ ଦୃଶ୍ୟ ଅତି ନିଆରା ଥିଲା । ନା ଥିଲା କୌଣସି ନାମି ଦାମି ଗାଡି, ନାଁ ଥିଲା ଲୋକଙ୍କ ଗାଡି ମଟରର ପେଁ ପାଁ ଶବ୍ଦ । ଅତି ସାଧାରଣ ଭାବେ ଏକଦମ୍‌ ନିଆରା ଢ଼ଙ୍ଗରେ ପହଁଚିଥିଲେ ଓଡିଆ ବୋହୂ ସୋନାଲୀ ।

ଏବେର ନିର୍ବାଚନର ମାହୋଲ ଭିତରେ ସରଗରମ ରହୁଛି ଗାଁ ଠୁ ସହର । ଆଉ ଆପଣ ଦେଖୁଥିବେ ଯେ କିପରି ପ୍ରାର୍ଥୀମାନେ ବଡ ବଡ ଲମ୍ବା ଲମ୍ବା ଗାଡିରେ ବସି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି । ଦାମି ଗାଡି ଧରି ଶୋଭାଯାତ୍ରାରେ ବାହାରୁଛନ୍ତି । କିନ୍ତୁ ଏଠି ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା । ଧାଡିକି ଧାଡି ଲାଗିଛି ସଗଡ ଗାଡି । ପୁଣି ଗୋଟେ କି ଦୁଇଟି ନୁହେଁ ୧୨ଟି ସଗଡ ଗାଡିରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜଣେ ବିଦାୟିକା ପ୍ରାର୍ଥିନୀ ।

ସ୍ବାଧୀନ ବିଧାୟୀକା ପ୍ରାର୍ଥିନୀଙ୍କ ନିଆରା ନାମାଙ୍କନ ଶୋଭାଯାତ୍ରା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରରେ । ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା ଚାଷୀ ପ୍ରତିନିଧି ସୋନାଲୀ ବିଶି ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚାଷୀ ସରକାର ନାରା ଦେଇ ନିର୍ବାଚନ ଲଢୁଥିବା ସୋନାଲୀ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ କରି ଚର୍ଚାରେ ରହି ଆସୁଥିବା ସୋନାଲୀ ଆଜି ଏକ ନିଆରା ଶୋଭାଯାତ୍ରା କରିଛନ୍ତି ।

ପ୍ରଦୂଷଣ ମୁକ୍ତ ସମାଜର ବାର୍ତ୍ତା ଦେବା ସହିତ ଚାଷୀଙ୍କ ଅତି ଆପଣାର ଶଗଡ ଗାଡିରେ ନିଜର ଶୋଭାଯାତ୍ରା କରିଛନ୍ତି । ୧୨ଟି ଶଗଡ ଗାଡିରେ ଶତାଧିକ ଚାଷୀଙ୍କ ସହିତ ସ୍ଥାନୀୟ ରୟାଲ ପଡିଆରୁ ଶୋଭାଯାତ୍ରା ବାହାରି ବ୍ଲକ ଛକ, ଆମ୍ବେଦକର ଛକ ଦେଇ ଉପ ଜିଲ୍ଲାପାଳଙ୍କ କର୍ୟାଳୟରେ ପହଞ୍ଚିଥିଲେ । ସେଠାରେ ନିଜ ପଣତରେ ନାମାଙ୍କନ ଖର୍ଚ୍ଚ ପାଇଁ ଲୋକଙ୍କ ଠାରୁ ସହାୟତା ରାଶି ମାଗିଥିଲେ । ଚାଷୀଙ୍କ ସହ ସାଧାରଣ ଲୋକ ଯିଏ ଯାହା ପାରିଲା ତାଙ୍କୁ ସହାୟତା ମଧ୍ୟ ଦେଇଥିଲେ । ଏହି ଟଙ୍କାରେ ନାମାଙ୍କନ ଦାଖଲ କରିଥିଲେ। ଆଗାମୀ ଦିନରେ ଚାଷୀମାନଙ୍କ ଆଶୀର୍ବାଦରେ ବିଜୟୀ ହେବାର ସେ ଆଶା ରଖିବା ସହିତ ଚାଷୀଙ୍କ ପାଇଁ ସଂଘର୍ଷ ଜାରି ରହିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ଓଡିଆ ବୋହୁ ସୋନାଲୀ କିନ୍ତୁ ଭାରୀ ସାହାସୀ ଝିଅ । ଯିଏକି ଲୋକଙ୍କ ଭଲପାଇବା ଏବେ ଖୁବ୍‌ ସାଉଁଟୁଛନ୍ତି । ନିଜର ନାମାଙ୍କନ ପତ୍ର ସଗଡରେ ନିଆରା ଢ଼ଙ୍ଗରେ କରିବା ପରେ ଏବେ ନିର୍ବାଚନ ପ୍ରଚାର ବି ଆପଣାଇଛନ୍ତି ଭାରି ସ୍ୱତନ୍ତ୍ର । ଏଇ ଦେଖୁନାହାଁନ୍ତି କେମିତି ହାତରେ ରୋଷେଇ ଶାଳାର ସାମଗ୍ରୀ ନୁହେଁ ବରଂ ଅଛି ଟ୍ରାକ୍ଟର ଷ୍ଟିୟରିଙ୍ଗ । ଗାଡି ଷ୍ଟାର୍ଟ କଲାମାତ୍ରେ ଗାଁ ଗାଁକୁ ଗଡୁଛି ଟ୍ରାକ୍ଟର ଚକ । ଘରକୁ ଘର ବୁଲୁଛନ୍ତି ଆଉ କରୁଛନ୍ତି ଭୋଟଭିକ୍ଷା । ଏକଦମ୍‌ ନିଆରା ଢଙ୍ଗରେ କରୁଛନ୍ତି ଭୋଟ ପ୍ରଚାର ।

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ନିର୍ବାଚନ ମଣ୍ଡଳୀ ପାଇଁ ଏବେ ପ୍ରାର୍ଥିନୀ ସାଜିଥିବା ସୋନାଲି ବିଶି ଜଣେ ଉଚ୍ଚଶିକ୍ଷିତା ବୋହୁ । ଯିଏକି ଏବେ ଘର ଛାଡି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଚାଷ ଓ ଚଷୀର ଜିଲ୍ଲାରେ ସବୁବେଳେ ଚାଷୀଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ ରାଜନିତି କରୁଥିବାବେଳେ ପ୍ରକୃତପକ୍ଷେ ଚାଷୀ କିଭଳି ଶୋଷଣର ଶିକାର ହେଉଛି ଏବଂ ତାର ସମସ୍ୟାର ସମାଧାନ କିପରି କରାଯାଇପାରେ ସେନେଇ ସେ ଅଂଟା ଭିଡିଛନ୍ତି । ଚଳିତ ନିର୍ବାଚନରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି ।