Bjp 1714141963

ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ନିର୍ବାଚନ ଲଢ଼ି ଉତ୍ତରାଧିକାରୀ ଚୟନ କରିବାକୁ ଚାହୁଁଛନ୍ତି: ସମୀର ମହାନ୍ତି

Politics State

ଭୁବନେଶ୍ୱର: ହିଞ୍ଜଳି ଏବଂ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଉତ୍ତରାଧିକାରୀଙ୍କ ପାଇଁ ରାସ୍ତା ତିଆରି କରିବାକୁ ଚାହୁଁଛନ୍ତି ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି।

ଭି.କେ ପାଣ୍ଡିଆନଙ୍କ ହାତରେ ଓଡ଼ିଶା ଶାସନ ଭାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ଷଡ଼ଯନ୍ତ୍ର କରିଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି। ଏହି ନିର୍ବାଚନ ପରେ ଗୋଟିଏ ଆସନ ମୁଖ୍ୟମନ୍ତ୍ରୀ ଛାଡ଼ିଦେବେ ଓ ସେଠାରେ ଉପନିର୍ବାଚନରେ ହେଲେ ପାଣ୍ଡିଆନଙ୍କୁ ପ୍ରୋଜେକ୍ଟ କରାଯିବ ବୋଲି ସମୀର କହିଛନ୍ତି।

ଓଡ଼ିଶା ଅସ୍ମିତା ଓ ସ୍ବାଭିମାନକୁ ଆଧାର କରି ବିଜେପି ନିର୍ବାଚନ ଲଢ଼ୁଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କର ଏହି ସୁଚିନ୍ତିତ ଯୋଜନା ଓ ଉଦ୍ଦେଶ୍ୟ ଅଛି। ଏହାକୁ ଓଡ଼ିଶାବାସୀ ସଫଳ କରାଇ ଦେବେ ନାହିଁ ବୋଲି ସମୀର ମହାନ୍ତି କହିଛନ୍ତି। ରାଜ୍ୟରେ ମୁଷ୍ଟିମେୟ ଅଫିସରଙ୍କ ହାତରେ ଶାସନ ଭାର, ଓଡ଼ିଶାରେ ଗଣତନ୍ତ୍ର ବିପଦରେ, ଜନ ପ୍ରତିନିଧି ମାନଙ୍କର କୌଣସି କ୍ଷମତା ନାହିଁ ବୋଲି ବିଜେଡି ସରକାରକୁ କଟାକ୍ଷ କରିଛନ୍ତି।

ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋନପୁରରେ ରାଲି କରି ନବୀନ ସରକାର ବିରୋଧରେ ଆକ୍ରମଣାତ୍ମକ ହୋଇଥିଲେ। ପରେ ଭୁବନେଶ୍ୱରରେ ଦଳୀୟ କର୍ମୀଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଥିଲେ। ନିର୍ବାଚନରେ ଦଳ କିଭଳି ଲଢେଇ କରିବ ସେ ନେଇ ଗୁରୁମନ୍ତ୍ର ଦେଇଛନ୍ତି। ଏହି ସମୟରେ ମଧ୍ୟ ନବୀନ ଦୁଇଟି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ରଣନୀତିକୁ ସମାଲୋଚନା କରିଥିଲେ ଶାହା। ପରୋକ୍ଷରେ ନବୀନ ନିଜ ଉତ୍ତରାଧିକାରୀ ନିଯୁକ୍ତ କରିବାକୁ ଯାଇ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି ବୋଲି ସେ କହିଥିବା ସୂଚନା ରହିଛି।