25 06 2023 Bjp Bjd 23451492

ତିନି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିପାରୁ ନାହାନ୍ତି ବିଜେଡି, ବିଜେପି ସହ କଂଗ୍ରେସ

State

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ପାଣିପାଗରେ ଉଷ୍ନତା ଦେଖାଯାଇଛି। ଆସନ୍ତା ମାସ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡିଳୀରେ ମତଦାନ ହେବ। ଭୋଟ୍‌ଦାନ ତାରିଖ ଯେତିକି ପାଖେଇ ଆସୁଛି। ରାଜନୈତିକ ଦଳ, ନେତା ଓ କର୍ମୀଙ୍କ ମଧ୍ୟରେ ସେତିକି ଚିନ୍ତା ପଶୁଛି। ରାଜ୍ୟର ୧୪୭ରୁ ବିଜେଡି ୧୨୬, ବିଜେପି ୧୩୧ ଓ କଂଗ୍ରେସ ୧୨୫ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟପଟରେ ନୀଳଗିରି, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ବିଧାନସଭା ଆସନରେ ଏହି ତିନି ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ତେବେ ତିନି ଦଳ ପ୍ରାର୍ଥୀ ଘୋଷଣା ନକରିପାରିବା ପଛରେ ବିଦ୍ରୋହ, ଅସନ୍ତୋଷ, ଦ୍ବନ୍ଦ୍ବ ଆଦି ସମସ୍ୟା ରହିଛି।
ଖୋର୍ଦ୍ଧାରେ ବିଜେପି ଓ କଂଗ୍ରେସ ଭଳି ବିଜେଡି ମଧ୍ୟ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ଏଠାରେ ବିଧାୟକ ଜ୍ୟୋତିରିନ୍ଦ୍ର ମିତ୍ର ୨୦୧୯ ନିର୍ବାଚନରେ ୮୪,୫୫୩ ଖଣ୍ଡ ଭୋଟ୍‌ ପାଇଥିଲେ। ସେ ବିଜେପି ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କୁ ୧୦,୦୪୩ ଖଣ୍ଡ ଭୋଟ୍‌ ବ୍ୟବଧା‌ନରେ ପରାସ୍ତ କରିଥିଲେ। କିନ୍ତୁ ଏଥର ଖୋର୍ଦ୍ଧାରେ ବେଗୁନିଆର ବିଧାୟକ ରାଜେନ୍ଦ୍ର ସାହୁ ଓ ବିଜେଡି ରାଜ୍ୟ ମହିଳା ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର ଟିକେଟ ପାଇବା ପାଇଁ ଆଶାୟୀ ଅଛନ୍ତି। ବିଜେଡି ଜ୍ୟୋତିରିନ୍ଦ୍ରଙ୍କୁ ଟିକେଟ୍‌ ଦେବ କି ଆଉ କାହାକୁ ପ୍ରାର୍ଥୀ କରିବ ସେନେଇ ଦ୍ବନ୍ଦ୍ବ ମଧ୍ୟ ଦେଖାଯାଇଛି। ମୋଟାମୋଟି ଭାବେ ବିଜେଡି ପାଇଁ ୩ ଜଣ ଆଶାୟୀ ଥିବା ବେଳେ ଟିକେଟ୍‌ ଘୋଷଣା ପରେ ୨ ଜଣ ଅସନ୍ତୁଷ୍ଟ ଅଥବା ବିଦ୍ରୋହୀ ମଧ୍ୟ ହୋଇପାରନ୍ତି। ଗତଥର ନିର୍ବାଚନରେ ପରାଜିତ ହୋଇଥିବା କାଳୁ ଏଥର ମଧ୍ୟ ବିଜେପି ଟିକେଟ ଦାବି କରୁଛନ୍ତି। କିନ୍ତୁ ଗତମାସ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ମଧ୍ୟ ଏଠାରେ ପ୍ରାର୍ଥୀ ହୋଇପାରନ୍ତି। ଉଭୟ କାଳୁ ଓ ପ୍ରଶାନ୍ତଙ୍କୁ ନେଇ ବିଜେପି ପ୍ରାର୍ଥୀ ଘୋଷଣା କରିପାରୁ ନାହିଁ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପ‌ଟରେ ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କ‌ଲା ପରେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି ଅନୁମାନ କରାଯାଉଛି।