225ded4b 33ce 4821 A0f2 Bec954b1a1ef 750x430

ରାଉରକେଲାରେ ଆଖଡ଼ା ଶୋଭାଯାତ୍ରା: ସାମିଲ ହେଲେ ଲୋକସଭା ଓ ବିଧାନସଭାର ପ୍ରାର୍ଥୀ

State

ରାଉରକେଲା: ଆଜି ସହରର ରାମନବମୀ ଶୋଭାଯାତ୍ରାକୁ ଆରକ୍ଷୀ ଅଧିକ୍ଷକ ତଥା ଡିଆଇଜି ବ୍ରିଜେଶ କୁମାର ରାୟ ନଡ଼ିଆ ଭାଙ୍ଗି ଉଦ୍‌ଘାଟନ କରିବା ପରେ ଶୋଭାଯାତ୍ରା ବିର୍ସା ଛକଠାରୁ ଆରମ୍ଭ ହୋଇଥିଲା। ଡିଆଇଜି ଶ୍ରୀ ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି ଶୋଭାଯାତ୍ରାରେ ଶାନ୍ତି ବଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କରାଯାଇଛି। ରାମନବମୀ ଶୋଭାଯାତ୍ରା ସମସ୍ତଙ୍କ ପାଇଁ ଖୁସି ଆଣୁ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ୪୩ ଡିଗ୍ରି ରୌଦ୍ରତାପ ହେତୁ ଶୋଭାଯାତ୍ରା ଅପରାହ୍ନ ୩ଟା ସମୟରେ ଆରମ୍ଭ କରାଯାଇଥିଲା। ଶୋଭାଯାତ୍ରାକୁ ଆରମ୍ଭ କରିବା ସମୟରେ ଡିଆଇଜିଙ୍କ ବ୍ରିଜେଶ କୁମାର ରାୟଙ୍କ ସମେତ ରାଉରକେଲା ଭାଜପା ପ୍ରାର୍ଥୀ ଦିଲ୍ଲୀପ ରାୟ, ବିଜେଡି ନଗର ସଭାପତି ଗଗନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଶୋଭାଯାତ୍ରାରେ ଉଦିତନଗର କୁମ୍ଭାରପଡାର ବାବା ଶମ୍ଭୁନାଥ ଆଖଡା ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ମାଲଗୋଦାମର ରାଣା ପ୍ରତାପ ଆଖଡା, ଶିବାଜୀ ମାର୍ଗସ୍ଥିତ ଶିବାଜୀ ଆଖଡା, ବିର୍ସା ଡାହାର ରୋଡସ୍ଥିତ ଶ୍ରୀ ହନୁମାନ ଆଖଡା, ଜନତା ନିବାସ ଗଳିସ୍ଥିତ ନବ ଯୁବକ ସଂଘ ଆଖଡା, ଟ୍ୟାକ୍ସିଷ୍ଟାଣ୍ଡ ସମ୍ମୁଖ ବାବା ଭୂତନାଥ ଆଖଡା ଓ ଶିବଶକ୍ତି ଆଖଡା, ଡିଲକ୍ସ ଗଳିର ଜୟ ମହାକାଲ ଆଖଡା, ବିର୍ସା ଛକ ସ୍ଥିତ ମହାବୀର ଆଖଡା, ରାଉରକେଲା ବସ୍ ଷ୍ଟାଣ୍ଡ ସ୍ଥିତ ତ୍ରୀନାଥ ଆଖଡା, ଉଦିତନଗର ଦୂରସଞ୍ଚାର କାର୍ଯ୍ୟାଳୟ ସମ୍ମୁଖସ୍ଥିତ ବାବା ରୁଦ୍ର ଆଖଡା, ଡେଲି ମାର୍କେଟର ମା’ ଦୁର୍ଗା ଆଖଡା, ଜି ଟି ଲେନ୍ ସ୍ଥିତ ବାବା ହନୁମାନ ସମିତିର ଆଖଡା ଏହି ଶୋଭାଯାତ୍ରାରେ ଭାଗନେଇ ବିଭିନ୍ନ ବାଜା ପାର୍ଟି ସହିତ ନିଜ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଖଡା ପ୍ରଦର୍ଶନ କରିଛନ୍ତି।
ମୁଖ୍ୟ ମାର୍ଗରେ ଶୋଭାଯାତ୍ରା ଯାଉଥିବା ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ଚଣା, ଫଳ, ତରଭୁଜ, ଖିଚୁଡି, ଦହି ସର୍ବତ୍, ହାଲୁଆ, ପକୋଡି, ଜୁସ୍ ଇତ୍ୟାଦି ବଣ୍ଟନ କରାଯାଉଥିବା ଦେଖାଯାଇଥିଲା। ଶୋଭାଯାତ୍ରା ସମୟରେ ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଶୋଭାଯାତ୍ରା ବିର୍ସା ଛକଠାରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ ପହଞ୍ଚିବା ପରେ ସେଠାରେ ଏହା ସମାପ୍ତ କରିବା ପାଇଁ ଧାର୍ଯ୍ୟ କରାଯାଇଛି। ରାଉରକେଲା ଇଣ୍ଟିଗ୍ରେଟେଡ ଫୋରମ ପକ୍ଷରୁ ଆଖଡା ଖେଳ ପ୍ରଦର୍ଶନ କରୁଥିବା ଖେଳାଳୀଙ୍କୁ ପୁରସ୍କୃତ କରାଯାଇଥିଲା।