Onn 3

ବାଦ୍ ପଡ଼ିଥ‌ିବା ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତି, ମାରିସାର ତାଲାବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ

State

ବାରିପଦା : ଏମ୍.ପି.ସି ସ୍ୱୟଂଶାସିତ ସମେତ ରାଜ୍ୟର ୪ଟି ଶିକ୍ଷାନୁଷ୍ଠାନର ଇଣ୍ଟିଗ୍ରେଟେଡ ବିଏଡ୍ ( ବ୍ଯାଚଲର୍ ଅଫ୍ ଏଜୁକେସନ) ପ୍ରମାଣପତ୍ରକୁ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ) କର୍ତ୍ତୃପକ୍ଷ ଗ୍ରହଣ କରିବେ। ଇଏମଆରଏସ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ଯେଉଁ ପ୍ରାର୍ଥୀମାନେ ଇଏମଆରଏସର ନିଯୁକ୍ତି ପ୍ରକ୍ରିୟାରେ ବାଦ୍ ପଡିଥ‌ିବା ବିଦ୍ୟାର୍ଥୀଙ୍କୁ ନିଯୁକ୍ତି ମିଳିବ। ଭବିଷ୍ୟତରେ ଏହି ଘଟଣାର ପୁନରାବୃତ୍ତି ନ ଘଟିବା ପାଇଁ ଇଏମଆରଏସ ଭଳି ନବୋଦୟ ବିଦ୍ୟାଳୟ ସଙ୍ଗଠନ ଓ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ। ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ) ଦ୍ଵାରା ଅନୁମୋଦିତ ସମସ୍ତ ଶିକ୍ଷାନୁଷ୍ଠାନର ଇଣ୍ଟିଗ୍ରେଟେଡ ପ୍ରମାଣପତ୍ର ଗ୍ରହଣ କରାଯିବା ନେଇ ଏକ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ସୋମବାର ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ଯୁଥ୍ ଏଣ୍ଡ ଷ୍ଟୁଡ଼େଣ୍ଟ ଆସୋସିଏସନ୍ ( ମାରିସା) ଏବଂ ରବିବାର ରେଭେନ୍ସା ବିଶ୍ଵବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ତେଣୁ ୬ ତାରିଖ ଦିନ ହେବାକୁ ଯାଉଥିବା କଲେଜ୍ ତାଲାବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି ବୋଲି ଆଜି ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ସୂଚନା ଦେଇଛନ୍ତି l

ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ଏ ବିଷୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ( ଯୁଜିସି), ଇଏମଆରଏସ ଅଧ୍ୟକ୍ଷ ଏବଂ ଶିକ୍ଷା ମନ୍ତ୍ରଣାଳୟକୁ ଚିଠି କରାଯାଇଛି । ଜନଜାତି ମନ୍ତ୍ରଣାଳୟ ଅଧୀନସ୍ଥ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରେଭେନ୍ସା ସମେତ ଅନ୍ୟ ୪ଟି ଶିକ୍ଷାନୁଷ୍ଠାନରେ ଇଣ୍ଟିଗ୍ରେଟେଡ ବିଏଡ୍ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ବହୁ ବିଦ୍ୟାର୍ଥୀ ଆବେଦନ କରିଥିଲେ । କୃତି ପରୀକ୍ଷାର୍ଥୀଙ୍କ ଫେବୃଆରୀ ୧ ରେ ପ୍ରମାଣ ପତ୍ର ଯାଞ୍ଚ ହୋଇଥିଲା । ସେମାନଙ୍କୁ ଇଣ୍ଟିଗ୍ରେଟେଡ୍ ବିଏଡ୍ ପ୍ରମାଣ ପତ୍ରକୁ ତ୍ରୁଟିପୂର୍ଣ୍ଣ ବୋଲି କୁହାଯାଇଥିଲା । ଜଣେ ପ୍ରାର୍ଥୀଙ୍କର ସ୍ନାତକ ଡିଗ୍ରୀ ସହ ଦୁଇ ବର୍ଷ ମଧ୍ୟରେ ୨ଟି ମନୋନୀତ ବିଷୟରେ ଶିକ୍ଷାଗ୍ରହଣ ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ରେଭେନ୍ସା  ବିଶ୍ଵବିଦ୍ୟାଳୟ,ସାମନ୍ତ ଚନ୍ଦ୍ରଶେଖର ସ୍ଵଫ ଶାସିତ ମହାବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ମହାରାଜା ପୂର୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ଏବଂ ଫକୀର ମୋହନ ବିଶ୍ଵବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା ।