Asw

ଓଡ଼ିଶାରୁ ପୁଣି ଥରେ ରାଜ୍ୟସଭା ନିର୍ବାଚନ ଲଢ଼ିବେ ଅଶ୍ୱିନୀ ବୈଷ୍ଣବ

Politics State

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି ବିଜେପି। ଶାସକ ବିଜେଡି ସମର୍ଥନରେ ୨୦୧୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବୈଷ୍ଣବ ପୁଣିଥରେ ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ ହେବେ।

ବିଜେପିର ଅନେକ ବିଧାୟକ ଭୁବନେଶ୍ୱରରେ ପହଂଚିଛନ୍ତି କିମ୍ବା ତାଙ୍କ ନାମାଙ୍କନପତ୍ରକୁ ପ୍ରସ୍ତାବକ ଭାବେ ଅନୁମୋଦନ କରିବା ପାଇଁ ରାଜଧାନୀ ଅଭିମୁଖେ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଫେବ୍ରୁଆରି ୧୫ ରହିଛି।

ବିଧାନସଭାରେ ବିପୁଳ ସଂଖ୍ୟାଗରିଷ୍ଠତା ଥିବା ବିଜେଡି ଓଡ଼ିଶାର ଅନ୍ୟ ଦୁଇଟି ଆସନ ପାଇଁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ମୋର୍ଚ୍ଚା ଉପାଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିସାରିଛି। ଜିତିବା ପାଇଁ ସେମାନଙ୍କୁ ମାତ୍ର ୩୮ଟି ପ୍ରଥମ ପସନ୍ଦ ଭୋଟ୍ ଦରକାର ହୋଇଥିବାରୁ ସେମାନଙ୍କ ନିର୍ବାଚନ ନିଶ୍ଚିତ। ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ବିଜେଡିର ୧୦୯ ଜଣ ସଦସ୍ୟ (ଦଳରୁ ବହିଷ୍କୃତ ୪ ଜଣ) ଅଛନ୍ତି।

ତେବେ ବୁଧବାର ସୁଦ୍ଧା ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବାରୁ ତୃତୀୟ ଆସନକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। କଟକ ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ବୈଷ୍ଣବଙ୍କୁ ବିଜେଡି ପୁଣି ଥରେ ସମର୍ଥନ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। ୨୦୧୦ରେ ସେ ଆଇଏଏସ ଚାକିରି ଛାଡି ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ । ସେ ଆଇଆଇଟି କାନପୁରରୁ ଟେକ୍ନୋଲୋଜିରେ ସ୍ନାତକୋତ୍ତର ଏବଂ ୱାର୍ଟନରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ।

ରାଜ୍ୟ ବିଧାନସଭାରେ ବିଜେପିର ୨୨ ଓ କଂଗ୍ରେସର ୯ ସଦସ୍ୟ ଅଛନ୍ତି। ଗୋଟିଏ ସିଟ୍ ଖାଲି ପଡ଼ିଛି। ଫେବ୍ରୁଆରି ୨୭ରେ ରାଜ୍ୟସଭା ନିର୍ବାଚନ ହେବ।