Dwsqxbjvmaastfk

୨୦ରୁ ମାଟ୍ରିକ ପରୀକ୍ଷା ୧୬ଟି କେନ୍ଦ୍ରରେ ୨୬୪୬ ବିଦ୍ୟାର୍ଥୀ ପରୀକ୍ଷା ଦେବେ

State

ନିଶ୍ଚିନ୍ତକୋଇଲି: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଉ ଏକ ସପ୍ତାହ ପରେ ହେବାକୁ ମାଟ୍ରିକ ପରୀକ୍ଷା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ପ୍ରସ୍ତୁତି କାର୍ଯ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ବ୍ଲକ ଅଞ୍ଚଳରେ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୧୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ବେଳେ ଓପନ ସ୍କୁଲ ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ମାତ୍ର କେନ୍ଦ୍ର ହୋଇଛି । ପୂର୍ବାହ୍ନ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ , ଗଣିତ ବିଷୟରେ ଅଧିକ ୧୫ମିନିଟ୍ ସମୟ ଦିଆଯିବ । ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସି କ୍ୟାମେରା ଲାଗିବାର ବ୍ୟବସ୍ଥା ହୋଇଛି । ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବ୍ଲକର ନୋଡ଼ାଲ ସେଣ୍ଟର କରାଯାଇଥିଲା ବେଳେ ଏହାର ପରିଚାଳକ ଭାବେ କାଦମ୍ବିନୀ ମଳିକ ଏବଂ ଉପପରିଚାଳକ ଭାବେ ସୁବ୍ରତ କୁମାର ବେହେରାଙ୍କୁ ନିୟୋଜିତ କରାଯାଇଛି ।

କେନ୍ଦ୍ର ଗୁଡ଼ିକରେ ପରୀକ୍ଷା ଖାତା ଓ ପ୍ରଶ୍ନ ପତ୍ର ପହଞ୍ଚାଇବା ପାଇଁ ୮ଜଣ ଶିକ୍ଷକଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଏହି ବ୍ଲକର ଅସୁରେଶ୍ୱର ହାଇସ୍କୁଲ କେନ୍ଦ୍ରରେ ୧୩୯ଜଣ , ଅହମ୍ମଦ ବକ୍ସ କେନ୍ଦ୍ରରେ ୧୯୭ ଜଣ ,କେନ୍ଦୁପାଟଣା କେନ୍ଦ୍ରରେ ୧୬୪ଜଣ,ରାମକୃଷ୍ଣପୁର ଓସ୍ତପୁର କେନ୍ଦ୍ରରେ ୧୬୮ଜଣ,ନରୁଆ ମଙ୍ଗଳପୁର କେନ୍ଦ୍ରରେ ୧୩୯ଜଣ, ଖଣ୍ଡାୟତ ପଟକିରା କେନ୍ଦ୍ରରେ ୧୯୧ ଜଣ, କଳିଙ୍ଗ ମଡ଼େଲ ଗଡ଼ିଜଙ୍ଗ କେନ୍ଦ୍ରରେ ୨୧୭ଜଣ, ଜନାର୍ଦ୍ଦନପୁର କେନ୍ଦ୍ରରେ ୧୨୩ଜଣ,ବଳରାମପୁର କେନ୍ଦ୍ରରେ ୧୫୧ଜଣ,ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠ କେନ୍ଦ୍ରରେ ୧୭୭ଜଣ, କୁଳସୁକରପଡ଼ା କେନ୍ଦ୍ରରେ ୧୦୩ଜଣ, ଖଣ୍ଡସାହି ଜଗନ୍ନାଥ ବିଦ୍ୟାପୀଠ କେନ୍ଦ୍ରରେ ୧୭୭ଜଣ, ବାପୁଜୀ ସ୍ମାରକୀ ଉତ୍ତରକୂଳ କେନ୍ଦ୍ରରେ ୧୭୭ ଜଣ, ଇଶାଣୀ ବରହମପୁର ଚନ୍ଦ୍ରଶେଖର ହାଇସ୍କୁଲରେ ୧୯୦ଜଣ ଓ ଏବର୍ଷ ନୂତନ ଭାବେ ହୋଇଥିବା ଜୁବୁଲି ବିଦ୍ୟାପୀଠ ବନ୍ଧକାଟିଆ କେନ୍ଦ୍ରରେ ସର୍ବାଧିକ ୨୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବୋର୍ଡ଼ ପକ୍ଷରୁ ସ୍ଥିର ହୋଇଛି । ଏହାଛଡ଼ା କୁଳିଆ, ମୁକ୍ତେଶ୍ୱର ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଓପନ ସ୍କୁଲର ମୋଟ ୯୮ଜଣ ପରୀକ୍ଷାର୍ଥୀ ମଧ୍ୟ ପରୀକ୍ଷା ଦେବେ ବୋଲି ଜଣାଯାଇଛି ।