Onn 3

ଶ୍ରେଣୀ ଗୃହରେ ବାଣ ବିସ୍ପୋରଣ ଘଟି ୪ଛାତ୍ର ଆହତ

Crime State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ମଣିଜଙ୍ଗ ସ୍ଥିତ ଭଗବତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ହଠାତ୍ ଏକ ବାଣ ବିସ୍ପୋରଣ ହେବାରୁ ୪ଜଣ ଛାତ୍ର ଆହତ ହୋଇଛନ୍ତି । ଏହି ଶ୍ରେଣୀର ଛାତ୍ର ସାନ୍ତନୁ ମଳିକଙ୍କ ପାଖରେ ଥିବା ଏକ ବାଣ ଡ଼େକ୍ସରେ ବାଡ଼େଇ ହୋଇଯିବାରୁ ଏହା ବିସ୍ପୋରଣ ହୋଇ ଶ୍ରେଣୀ ଗୃହ ସାରା ଧୂଆଁ ଭର୍ତ୍ତି ହୋଇଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି ଶିକ୍ଷକ ଶିକ୍ଷୟିତ୍ରୀମାନେ ପହଞ୍ଚି ଦେଖିଲେ ସାନ୍ତନୁ ସହିତ ଶମ୍ଭୁ ମଳିକ, ସୁମନ ପୃଷ୍ଟି ଓ ଅନୁରାଗ ପୃଷ୍ଟି ଆହତ ହୋଇଛନ୍ତି । ଆହତ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ଉଦ୍ଧାର କରି ତାଙ୍କ ଅଭିଭାବକ ମାନଙ୍କୁ ଡ଼ାକି ସରପଞ୍ଚ ଶାରଦା ମହାନ୍ତିଙ୍କ ସହଯୋଗରେ ଚିକିତ୍ସା ନିମନ୍ତେ ଆମ୍ବୁଲାନସ ଯୋଗେ ତେଣ୍ଟାକୁଡ଼ା ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ । ପରେ ସେମାନଙ୍କୁ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରଚଣ୍ଡ ବାଣ ଶବ୍ଦରେ କାନ ଉପରେ ପ୍ରଭାବ ପଡ଼ିଥିବାରୁ ସେମାନଙ୍କ ମଧ୍ୟରୁ ୩ଜଣକୁ ଭଲ ଭାବରେ ଶୁଭୁ ନଥିଲା ବେଳେ କାନରେ ଯନ୍ତ୍ରଣା ମଧ୍ୟ ହେଉଛି । ଏ ସଂକ୍ରାନ୍ତରେ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋସ୍ନା ସେଠୀଙ୍କୁ ପଚାରିବାରୁ ତତକାଳୀନ ସମସ୍ତ ଆହତ ମାନଙ୍କୁ ଚିକିତ୍ସା କରାଯାଇଥିବାରୁ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ପ୍ରକାଶ କରିଛନ୍ତି । ଅପରପକ୍ଷରେ ସମ୍ପୃକ୍ତ ଛାତ୍ର ଜଣକ କେଉଁଠୁ ଏବଂ କ’ଣ ପାଇଁ ବିଦ୍ୟାଳୟକୁ ଏହି ବାଣ ନେଇ ଆସିଥିଲା ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମଣ୍ଡଳ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଭାବକ ମହଲରେ ଦାବି ହୋଇଛି ।