Photo For The News Of School

୮ ଶ୍ରେଣୀକୁ ୨ କୋଠରୀ, ବାରଣ୍ଡାରେ ୪ଟି ଶ୍ରେଣୀ, ୨ଜଣ ଶିକ୍ଷକଙ୍କ ଦ୍ୱାରା ଚାଲିଛି ପାଠପଢା

State

ଆଗରପଡ଼ା :ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୂଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୁର ଦୃଷ୍ଟିର ଅଭାବ ଯୋଗୁଁ ଏହା ପ୍ରହସନରେ ପରିଣତ ହେବାକୁ ଯାଉଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବା କୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ଭରସିଂହପୁର ସରକାରୀ ଉଚ୍ଚପ୍ରାଥମିକ ମଧ୍ୟଇଂରାଜୀ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ୨ଟି କୋଠରୀରେ ୮ଟି ଶ୍ରେଣୀ ଚାଲୁଥିବା ଦେଖିବାକୁ ମିଳିଛି । ଏପରିକି ଘର ଅଭାବରୁ ପିଲାମାନେ ବାରଣ୍ଡାରେ ବସି ପଢୁଥିବାର ଜଣାପଡ଼ିଛି । ୧୯୭୧ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଚଳିତ ବର୍ଷ ୫୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବର୍ତ୍ତମାନ ଉକ୍ତ ବିଦ୍ୟାଳୟଟି ନାନାଦି ସମସ୍ୟା ମଧ୍ୟ ଦେଇ ଗତି କରୁଥିବାର ଜଣାପଡ଼ିଛି । ସରକାରଙ୍କ ପ୍ରଦତ୍ତ ନୂତନ ନିୟମ ଅନୁସାରେ ୧୯୨୬ ମସିହାରେ ପ୍ରତିଷ୍ଠିତ ଭରସିଂହପୁର ପ୍ରାଥମିକ ବିଦ୍ୟାଳୟଟିକୁ ଗତ ୨୦୧୮ ନଭେମ୍ବର ୨୬ ତାରିଖରେ ୟୁପିଏମଇ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଥିଲା । ତେବେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଉକ୍ତ ୟୁପିଏମଇ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ସର୍ବଶିକ୍ଷା ଅଭିଯାନ ଦ୍ୱାରା ନିର୍ମିତ ଦୁଇଟି କୋଠରୀ ୮ଟି ଶ୍ରେଣୀର ପିଲାଙ୍କ ପାଠପଢା ପାଇଁ ଉଦ୍ଧିଷ୍ଟ ଥିବା ବେଳେ ୨ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ୨ଜଣ ଶିକ୍ଷକ ୮ଟି ଶ୍ରେଣୀର ପାଠ କିପରି ପଢାଉଥିବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ ବିଦ୍ୟାଳୟ ପରିସରରେ ଥିବା ଏକ ପୁରାତନ ଆଜ୍‌ବେସଟସ୍ ଘରେ ପିଲା ପଢୁଥିଲେ । ତେବେ ଗତ ଫନି ବାତ୍ୟାରେ ଏହାର ଛାତ ଦବିଯିବା ଓ ଏହା ପରିସରରେ ବିଷଧର ସାପ ରହୁଥିବା ଯୋଗୁଁ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ସୁଦ୍ଧା ଏହାକୁ ଭାଙ୍ଗିବାର କୌଣସି ବ୍ୟବସ୍ଥା କରାଯାଉନାହିଁ ।

ସେହିପରି ବିଦ୍ୟାଳୟ ପରିସରରେ ନିର୍ମିତ ନୂତନ ଗୃହ ଅଧପନ୍ତରିଆ ଅବସ୍ଥାରେ ଥିବାରୁ ଶ୍ରେଶୀଗୃହକୁ ନେଇ ଚିନ୍ତାରେ ଅଭିଭାବକମାନେ ଅଛନ୍ତି । ଅପରପକ୍ଷରେ ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା ଅନୁଯାୟୀ ନିକଟସ୍ଥ ରାଉତରାଗଡ଼ିଆ ପ୍ରୋଜେକ୍ଟ ପ୍ରାଇମେରୀ ବିଦ୍ୟାଳୟ ଦୂରତା ଦୃଷ୍ଟିରୁ ଏହି ବିଦ୍ୟାଳୟ ସହ ମିଶିଯାଇଛି । କିନ୍ତୁ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପାଖାପାଖି ୪୦ଜଣ ପିଲା ଅଦ୍ୟାବଧି ଭରସିଂହପୁର ସରକାରୀ ଯୁଜିମଇ ସ୍କୁଲକୁ ଅଧ୍ୟୟନ ପାଇଁ ଆସୁନଥିବାବେଳେ ଉକ୍ତ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷକ ବର୍ତ୍ତମାନ ଭରସିଂହପୁର ସ୍ଖୁଲରେ କାର୍ଯ୍ୟ ସଂପାଦନ କରୁଛନ୍ତି । ସରକାରୀ ନିୟମାନୁସାରେ ଉକ୍ତ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ,ଅର୍ଥ ଓ ପୋଷାକ ଆଦି ଗୃହିତ ହେଉଥିବା ବେଳେ ସେମାନେ ଏଥିରୁ ବଂଚିତ ହେଉଥିବା ଜଣା ପଡ଼ିଛି । ସେହିପରି ବିଦ୍ୟାଳୟର ସମ୍ମୁଖ ଭାଗକୁ ଛାଡ଼ି ଅନ୍ୟ ଭାଗରେ ସ୍ଥାୟୀ ପାଚେରୀ ମଧ୍ୟ ନିର୍ମାଣ ହୋଇପାରିନାହିଁ । ଏହିପରି ବିଦ୍ୟାଳୟରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ବାରମ୍ବାର କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନଥିବା ଜଣାପଡ଼ିଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।