Onn 3

ଉପସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ ବନ୍ଦ୍ ନହେବାରୁ ଅସନ୍ତୋଷ ବଢୁଛି : ଜମି ଜମା ସଂକ୍ରାନ୍ତ କାଗଜପତ୍ର ଯାଞ୍ଚନେଇ ପ୍ରଶ୍ନ ଉଠିଛି

State

ନିଶ୍ଚିନ୍ତକୋଇଲି : କଟରପଡା ପଂଚାୟତସ୍ଥିତ ସାଙ୍କିଲୋ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରର ନୂତନ ଗୃହ ନିର୍ମାଣ ହେଉଥିବା ଜମି ଜମାର ତଦନ୍ତ ପାଇଁ ପ୍ରଶାସନିକ ସ୍ତରରେ ଏକ କମିଟି ଗଠନ କରାଯାଇଛି । ଯେଉଁସ୍ଥାନରେ ଏହି ଉପସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯାଉଛି ସେଠାକୁ ଯାତାୟାତ ପାଇଁ ରାସ୍ତା ନଥିବାରୁ ପରେ ସମସ୍ୟା ଉପୁଜିବାକୁ ନେଇ ଆଶଙ୍କା ପ୍ରକାଶ ପାଇଥିବା ଅଭିଯୋଗ କରି ଏହି ପଂଚାୟତର ସମିତିସଭ୍ୟା ସ୍ୱାଗତିକା ନାୟକଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବ୍ଲ୍‌କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହାଛଡା ଯେଉଁସ୍ଥାନରେ ନୂତନ ଗୃହ ନିର୍ମାଣ କରାଯାଉଛି ସେ ଜମିଟି ଘରଢିଅକୁ କିସମ ପରିବର୍ତ୍ତନ କରାଯାଇନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ନିର୍ମାଣାଧୀନ ଥିବା ଜାଗାଟି କିସମ ପରିବର୍ତ୍ତନ ହୋଇନଥିବା ବେଳେ ସେଠାକୁ ରାସ୍ତା ନଥାଇ ମଧ୍ୟ କିଭଳି ସରକାରୀ ଅନୁଦାନ ବ୍ଲକ ପ୍ରଶାସନ ପକ୍ଷରୁ ଖର୍ଚ୍ଚ କରାଯାଉଛି ସେ ନେଇ ସ୍ଥାନୀୟ ଅଂଚଳବାସୀ ପ୍ରଶ୍ନ କରିଛନ୍ତି । ପ୍ରକୃତ ଉକ୍ତ ଜମିଜମା ଘଟଣାକୁ ତଦନ୍ତ କରି ସଂପୃକ୍ତ ସମିତିସଭ୍ୟ ଓ ଗ୍ରାମବାସୀମାନଙ୍କୁ ଅବଗତି କରିବା ନିମନ୍ତେ ବିଡିଓଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି ।

ଏହି କମିଟିରେ ତହସିଲଦାର, ଥାନା ଆଇ ଆଇ ସି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଏବଂ ବ୍ଲକର ଅତିରିକ୍ତ ବିଡିଓ ରହିଥିବା ଜଣାଯାଇଛି । ଜମି ସଂକ୍ରାନ୍ତ କାଗଜପତ୍ର ଯାଞ୍ଚ ହେବା ପର୍ଯ୍ୟନ୍ତ ଉପସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ବନ୍ଦ୍ ହେବା ପାଇଁ ଅନଶନକାରୀମାନେ ଦାବି କରିଥିଲା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ଯାଞ୍ଚ ନକରି ସମସ୍ତ ନୀତି ନିୟମକୁ ଉଲଘଂନ କରି କାର୍ଯ୍ୟ କରୁଥିବାରୁ ଗ୍ରାମାବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗଠକ କରାଯାଇଥିବା କମିଟି ମାଧ୍ୟମରେ ରାସ୍ତାର ଓ ନିର୍ମାଣାଧିନ ଜମିଜମାର ଯାଞ୍ଚ କରାଯାଇ ସଠିକ୍ ପ୍ରମାଣ ଦେବା ପରେ ନିର୍ମାଣ କାର୍ଯ୍ୟ କରାଯିବା ପାଇଁ ବିଡିଓ ପ୍ରତିଶୃତି ଦେଇ ଅନଶନରୁ ଉଠାଇବାର ଗୋଟିଏ ଦିନ ମଧ୍ୟରେ କିଭଳି ପ୍ରତିଶୃତି ଭୁଲି ଯାଉଛନ୍ତି ସେ ନେଇ ଅନଶନକାରୀମାନେ ପ୍ରଶ୍ନ କରିଛନ୍ତି । ଏ ସଂକ୍ରାନ୍ତରେ ବିଡିଓ ଧର୍ମରଂଜନ ପଣ୍ଡାଙ୍କୁ ପଚାରିବାରୁ ଗଠକ କରାଯାଇଥିବା କମିଟିକୁ ଯାଞ୍ଚ କରିବା ପାଇଁ ଜଣାଇ ଦିଆଯାଇଛି । ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ପାଇଁ ସେମାନେ ବ୍ୟସ୍ତ ରହୁଥିବାରୁ ସୁବିଧା ହେଲେ ଯାଞ୍ଚ କାର୍ଯ୍ୟ କରି ସମସ୍ତ ତଥ୍ୟ ଅନଶନକାରୀଙ୍କୁ ଜଣାଇଦେବେ ବୋଲି ପ୍ରକାଶ କରିଛନ୍ତି ।