Ps Member Nka Anasana

ସ୍ୱାସ୍ଥ୍ୟଆରୋଗ୍ୟ କେନ୍ଦ୍ର ନିର୍ମାଣ ବନ୍ଦ ପାଇଁ ବ୍ଲକ ସମ୍ମୁଖରେ ଅନଶନ

State

ନିଶ୍ଚିନ୍ତକୋଇଲି : କଟରପଡା ପଂଚାୟତ ସମିତିସଭ୍ୟା ସ୍ୱାଗତିକା ନାୟକଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀମାନେ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ପୂର୍ବାହ୍ନରୁ ଆମରଣ ଅନଶନ କରିଛନ୍ତି । ବିଗତ ୪୦ ବର୍ଷ ଧରି ଏହି ପଂଚାୟତର ସାଙ୍କିଲୋଠାରେ ଥିବା ସରକାରୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ରୂପାନ୍ତିକରଣ କାର୍ଯ୍ୟ ପାଇଁ ୨୮ଲକ୍ଷ ଟଙ୍କା ଅନୁଦାନ ଆସିଛି । ପୂର୍ବରୁ ରହିଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନତିକରଣ କରାନଯାଇ ଏହାଠାରୁ ୩ କିମି. ଦୂରରେ ରାସ୍ତା ନଥିବା ଏକ ଜମିରେ ନୂତନ ଭାବେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତା ନଥିବାରୁ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ବନ୍ଦ୍ କରିବା ପାଇଁ ପୂର୍ବରୁ ଶ୍ରୀମତୀ ନାୟକ ବିଡିଓଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ କର୍ଣ୍ଣପାତ ନକରିବାରୁ ଏହି ଗ୍ରାମର ସୁଧାଂଶୁ ଶେଖର ଦାସ, ପତିତପାବନ ମଣ୍ଡଳ, ସ୍ନେହଲତା ଜେନା, ଗୀତାଞ୍ଜଳୀ ନାୟକ, ସୁଶାନ୍ତ ନାୟକଙ୍କ ସମେତ ବହୁ ମହିଳା ଓ ପୁରୁଷମାନେ ଧାରଣାରେ ବସିଛନ୍ତି । ଉକ୍ତ କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ ସସ୍ମିତା ସେଠୀ ନାମକ ଠିକାଦାର କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ରକୁ ଯିବା ପାଇଁ ସମସ୍ୟା ଉପୁଜିବାକୁ ନେଇ ଅଭିଯୋଗ କରାଯାଇଛି । ଏଠାରେ ପ୍ରଥମେ ରାସ୍ତା ପାଇଁ ଜାଗା ଦେଖାଇବା ପରେ କେନ୍ଦ୍ର ନିର୍ମାଣ କରାଯିବାକୁ ଅନଶନକାରୀମାନେ ଦାବି କରିଛନ୍ତି । ଉକ୍ତ ଘଟଣା ସଂପର୍କରେ ବିିଡିଓ ଧର୍ମରଂଜନ ପଣ୍ଡାଙ୍କୁ ପଚାରିବାରୁ କେନ୍ଦ୍ର ନିର୍ମାଣ ହେଉଥିବା ସ୍ଥାନକୁ ଯିବା ପାଇଁ ରାସ୍ତା ରହିଛି ହେଲେ ଅନଶନକାରୀ ଏ ସଂକ୍ରାନ୍ତରେ କିଛି ନବୁଝି ଏଭଳି ନିଷ୍ପତି ନେଇଥିବା ପ୍ରକାଶ କରିଛନ୍ତି ।