Onn 3

ବିଧାୟକଙ୍କୁ ଦୁର୍ବ୍ୟବହାର: ମହିଳା ସଭାପତି ନିଲମ୍ବିତ

State

BJD

ମୋରଡ଼ା : ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ରାଜକିଶୋର ଦାସଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜୁ ମହିଳା ଜନତା ଦଳର ହଳଦୀପାଳ ପଞ୍ଚାୟତ ସଭାପତି ସୁକାନ୍ତି ସେଠୀଙ୍କୁ ନିଲମ୍ବନ କରାଯାଇଥିବାର ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଅତୀତରେ ସୁକାନ୍ତି ବିଧାୟକ ରାଜକିଶୋର ଦାସଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାର ଅଭିଯୋଗ ହୋଇଥିଲା। ସେହିପରି ଗତ ଦୁଇ ତାରିଖରେ ବ୍ଲକର ଚିତ୍ରଡ଼ା-ଶୀର୍ଷାପାଳ ଛକରୁ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋରଡା ବିଧାୟକ ଶ୍ରୀ ଦାସ ମଧ୍ୟ ଯୋଗ ଦେଇଥିଲେ। କିନ୍ତୁ ଉକ୍ତ କାର୍ଯ୍ୟକ୍ରମରେ ସୁକାନ୍ତି ସହଯୋଗ କରି ନ ଥିବା ତଥା ମହିଳାମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ପ୍ରବର୍ତ୍ତାଇଥିଲେ। ଏହି ସବୁକୁ ନେଇ ସୁକାନ୍ତିଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏନେଇ ବିଜୁ ମହିଳା ଜନତା ଦଳର ମୟୂରଭଞ୍ଜ-୧ ସଭାପତି ଦୀପ୍ତିଲତା ମିଶ୍ର ବିଧିବଦ୍ଧ ଭାବେ ଚିଠି ନମ୍ବର ୦୪-ବିଏମଜେଡି/୨୩ ସଂଖ୍ୟାରେ ପ୍ରକାଶ କରିଛନ୍ତି।
ତେବେ ଗତ ସେପ୍ଟେମ୍ବର ୮ ତାରିଖରେ ହୋଇଥିବା ପଞ୍ଚାୟତ ସମିତି ବୈଠକରେ ବିଧାୟକ ଶ୍ରୀ ଦାସଙ୍କ ପ୍ରତି ଜନପ୍ରତିନିଧିଙ୍କ ସମର୍ଥନ କମୁଥିବାର ଦେଖିବାକୁ ମିଳିଥିଲା। ଏବେ ପୁଣି ଜଣେ ମହିଳା କର୍ମୀ ବିଧାୟକ ଶ୍ରୀ ଦାସଙ୍କ ପ୍ରତି ଦୁର୍ବ୍ୟବହାର କଣ ପାଇଁ ବା ଉକ୍ତ ଘଟଣା ପଛରେ ଅନ୍ୟ ଜଣେ ପ୍ରଭାବିଶାଳୀ ମହିଳାଙ୍କ ହାତ ଅଛି ବୋଲି ତାହା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ତେବେ ମୋରଡ଼ା ନିର୍ବାଚନମଣ୍ଡଳୀରେ ବିଧାୟକ ଶ୍ରୀ ଦାସଙ୍କ ପ୍ରତି ଜନପ୍ରତିନିଧି, ଦଳୀୟକର୍ମୀ ତଥା ଜନସାଧାରଣଙ୍କ ସମର୍ଥନ ଧୀରେ ଧୀରେ କମୁଥିବାର ଦେଖିବାକୁ ମିଳୁଥିବା ବେଳେ ବିଜେଡି ଭିତରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଥିବାର ଦେଖିବାକୁ ମିଳିଛି।