ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଭତ୍ତା ହିତାଧିକାରୀଙ୍କ ଗଣବିକ୍ଷୋଭ ସାରସକଣା ବ୍ଲକ୍ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ,ଦିବ୍ୟାଙ୍ଗ, ବିଧବାଙ୍କୁ ମିଳୁଥିବା ମାସିକ ୫୦୦ ଟଙ୍କା ଭତ୍ତା ବର୍ତମାନ ବ୍ୟୟବହୁଳ ଏବଂ ନିତିଦିନ ବ୍ୟବହାର ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଅତ୍ୟନ୍ତ ନଗଣ୍ୟ। ଅନ୍ୟ ରାଜ୍ୟ ଗୁଡ଼ିକରେ ଏହି ଭତ୍ତାର ପରିମାଣ ବହୁତ ଅଧିକ ଥିବା ବେଳେ, ଆମ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବା ଜରୁରୀ। ବିଧାୟକ ଓ ସାଂସଦଙ୍କ ଭତ୍ତା ବୃଦ୍ଧି ସହ ପେନସନ ଲାଗୁ ଥିଲା ବେଳେ, ଗୋଟିଏ ଜନମଙ୍ଗଳ ରାଷ୍ଟ୍ରର ବୟଷାଧିକ ବ୍ୟକ୍ତି ବିଶେଷଙ୍କ ସାମାଜିକ ସୁରକ୍ଷା ନୀତିକୁ ଗୁରୁତ୍ବ ନ ଦେଇ ପୁଞ୍ଜିବାଦୀ ତୁଷ୍ଟିକରଣ ନୀତି ଆପଣାଇବା ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା ସଂପାଦକ ଜଗବନ୍ଧୁ ମିଶ୍ର ଅଭିଯୋଗ କରିବା ସହ ମାସିକ ଭତ୍ତା ୫୦୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି।ତା ସହିତ ୬୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବା, ବ୍ୟାଙ୍କ ଜରିଆରେ ମିଳୁଥିବା ହିତାଧିକାରୀଙ୍କ ଭତ୍ତାକୁ ସେମାନଙ୍କ ହାତରେ ଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଅର୍ଥ ରାଶିର ପରିମାଣ ୫ ଲକ୍ଷକୁ ବୃଦ୍ଧି କରିବା ଇତ୍ୟାଦି ୪ ଦଫା ଦାବି ସମ୍ବଳିତ ଦାବି ପତ୍ର ଶତାଧିକ ହିତାଧିକାରୀଙ୍କ ସ୍ଵାକ୍ଷରରେ ସାରସକଣା ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଆଜିର ବିକ୍ଷୋଭରେ ହିତାଧିକାରୀ ସହଦେବ ମହାକୁଡ଼,ଵୁଧୁନି ସିଂ, ସୁନ୍ଦର ସିଂ, ଆଶା ମୁଖୀ, ସୁକଦେବ ସିଂ, ସାବିତ୍ରୀ ସିଂ, ଶତୃଘ୍ନ ନାଏକ, ସୁଦର୍ଶନ ସେଠୀ, ହୃଷିକେଶ ସାହୁ, ମଙ୍ଗୁଳି ନାଏକ, ସୁଭାଷିନୀ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ଦାବି ଜଣାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜୋନ ସଂପାଦକ ବଳରାମ ମହାନ୍ତ,ରୁପାଏ ମାଝୀ,ପଦନୀ ନାଏକ,ଚୈତା ମୁଣ୍ଡା,ସୁନୀ ସିଂ,ରୁହା ସିଂ ପ୍ରମୁଖ ଉପସ୍ଥିତ ଥିଲେ |