Onn 3

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ତ୍ରିଦିବସୀୟ ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଉଦ୍‌ଯାପିତ

State

ବାରିପଦା ୩୧/୦୧: ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ତ୍ରିଦିବସୀୟ ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସାରସ୍ୱତ ଅତିଥି ଭାବେ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଚଳିତ ମାସ ୧୦-୧୧ ତାରିଖରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ସାହିତ୍ୟ ପ୍ରତିଯୋଗିତା, ୧୮-୧୯ ତାରିଖରେ ଅନୁଷ୍ଠିତ ହୋଇଥିବା ଆନ୍ତଃ-ବିଶ୍ୱବିଦ୍ୟାଳୟ ସ୍ତରୀୟ ସାହିତ୍ୟ ପ୍ରତିଯୋଗିତା ଏବଂ ଏହି ତ୍ରିବସୀୟ କାର୍ଯ୍ୟକ୍ରମର ପ୍ରଥମ ଦିବସର ସମସ୍ତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ନୂଆ ‘ଓ’ ନୋଡାଲ ଅଫିସର ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ଓ କୁଳସଚିବ ଶ୍ରୀ ସହଦେବ ସମାଧିଆ ଅତିଥି ପରିଚୟ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ହୋଇଥିବା ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ “ମୟୂରଭଞ୍ଜରେ ଓଡ଼ିଆ ଲୋକ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ” ଶୀର୍ଷକ ଆଲୋଚନାଚକ୍ରରେ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ପୌରହିତ୍ୟ କରିଥିଲେ ଓ ଆଲୋଚକ ଭାବେ ମୟୂରଭଞ୍ଜ ସାହିତ୍ୟ ପରିଷଦର ସଂପାଦକ ମନୋଜ ଦଳବେହେରା, ବାରିପଦା ସ୍ନାତକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପିକା ଡ. ପଦ୍ମଶ୍ରୀ ଦାସ, ଶ୍ରୀରାମଚନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷା ନାରୀକବି ଅସୀମା ସାହୁ ଯୋଗ ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ “ଓଡ଼ିଆ ଭାଷା ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା” ଶୀର୍ଷକ ଆଲୋଚନାଚକ୍ରରେ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବବୃବାହନ ମହାପାତ୍ର ପୌରହିତ୍ୟ କରିଥିଲେ ଓ ଆଲୋଚକ ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରବଚକ ଭାଗବତ ପଣ୍ଡା ଆଲୋଚନା କରିଥିଲେ । ସନ୍ଧ୍ୟାରେ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ତୃତୀୟ ଦିବସର ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ “ଓଡ଼ିଆ ଭାଷା-ସାହିତ୍ୟର ସମୃଦ୍ଧି ପାଇଁ ଅନୁଚିନ୍ତା” ଶୀର୍ଷକ ଆଲୋଚନାଚକ୍ରରେ ପ୍ରଫେସର ପ୍ରଫେସର ବବୃବାହନ ମହାପାତ୍ର ପୌରହିତ୍ୟ କରିଥିଲେ ଓ ଆଲୋଚକ ଭାବେ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା, ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ, ବେତନଟୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରମାକାନ୍ତ ସିଂ ଓ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା ଯୋଗଦେଇଥିଲେ । ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ଛାତ୍ରଛାତ୍ରୀମାନଙ୍କର ଅଭିମତ, ଅନୁଚିନ୍ତନ ଓ ପ୍ରସ୍ତାବନା ମାନ ଗ୍ରହଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଡ. କମଳ ଲୋଚନ ବାରିକ, ଡ. ପୁଷ୍ପାଞ୍ଜଳି ପରିଡ଼ା, ଡ. ମୋନାଲି ଗୋସ୍ୱାମୀ, ଡ. କୁକୁ ମହାପାତ୍ର, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ପ୍ରିୟଙ୍କା ଦାସ, ଡ. ସୀତାରାମ ଦାସ, ଡ. ଶାନ୍ତିସ୍ୱରୁପ ବସା, ଡ. ବିଚିତ୍ରନାଥ ସାହୁ, ରାଜକୁମାର ପାତ୍ର, ଡ. ବିନ୍ଧେଶ୍ୱରୀ କଲିଆ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ ଭାଷାବିତ୍‌, ସାହିତ୍ୟିକ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।