Onn 3

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପୁର ପଲ୍ଲୀ ରାମଧ୍ୱନିରେ ପ୍ରକମ୍ପିତ

State

ନିଶ୍ଚିନ୍ତକୋଇଲି : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ପୁରପଲ୍ଲୀ ଉତ୍ସବ ମୁଖର ହୋଇଛି । ବିଭିନ୍ନ ଗ୍ରାମରେ ଆବାଳ ବୃଦ୍ଧ ବନିତା ହାତରେ ରାମଙ୍କ ପ୍ରତିଛବି ଥାଇ ପତାକା ଧରି ନାମ ସଂକୀର୍ତ୍ତନ ସହିତ ଜୟଶ୍ରୀରାମ ଧ୍ୱନି ଦେଇ ଗ୍ରାମ ପରିକ୍ରମା କରିଛନ୍ତି । ପ୍ରତ୍ୟୁଷରୁ ଘରେ ଘରେ କଳସ ବସାଯାଇ ଦୀପ ପ୍ରଜ୍ୱଳନ କରାଯାଇଥିଲାବେଳେ ସନ୍ଧ୍ୟାରେ ମଧ୍ୟ ଦୀପ ଜାଳି ରାମଲାଲାଙ୍କୁ ସ୍ୱାଗତ ପ୍ରାର୍ଥନା କରାଯାଇଛି । ଏହି ଅବସରରେ ପ୍ରତ୍ୟେକ ରାମ ଓ ହନୁମାନ ମନ୍ଦିରରେ ଯଥାରୀତି ପୂଜାର୍ଚ୍ଚନା, ସଂକୀର୍ତ୍ତନ, ଭଜନସନ୍ଧ୍ୟା ଓ ପ୍ରସାଦସେବନର ବ୍ୟବସ୍ଥା ମଧ୍ୟ ହୋଇଛି । କେଣ୍ଟାଳ ପଞ୍ଚାୟତ ମଲ୍ଲିପୁର ଠାରେ ଥିବା ଅସୁରେଶ୍ୱରର ପ୍ରସିଦ୍ଧ ଶ୍ରୀ ରଘୁନାଥଜୀଉ ମନ୍ଦିରରେ ପ୍ରତ୍ୟୁଷରୁ ବିଭିନ୍ନ ପୂଜାର୍ଚ୍ଚନା , ୧୦୮ ହନୁମାନ ଚାଳିଶା କରାଯାଇଛି । ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ସାରାଦିନ ବ୍ୟାପୀ ହୋମ ଯଜ୍ଞ କାର୍ଯ୍ୟକ୍ରମ କରାଯାଇଥିଲାବେଳେ ସନ୍ଧ୍ୟାରେ ୧୦୦୮ ଦୀପ ଦାନ କରାଯାଇଥିଲା । ଏଥ୍‌ôରେ କର୍ତ୍ତା ଭାବେ ଭାସ୍କର ନାୟକ ଏବଂ ତାଙ୍କ ପତ୍ନୀ ଇତିଶ୍ରୀ ନାୟକ କାର୍ଯ୍ୟ ତୁଲାଇଥିଲେ ।

ଏହାଛଡ଼ା ମନ୍ଦିର ପରିସରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଇଥିଲାବେଳେ ହଜାର ହଜାର ସଂଖ୍ୟାରେ ଭକ୍ତ ଯୋଗ ଦେଇ ରଘୁନାଥଜୀଉଙ୍କୁ ପୂଜାର୍ଚ୍ଚନା କରି ବିଭୁକୃପା ଲାଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଅନ୍ନଦାପ୍ରସନ୍ନ ନାୟକ,ଅନନ୍ତ କୁମାର ଦାସ,ରଘୁନାଥ ସାହୁ,ଧରଣୀଧର ବେହେରାଙ୍କ ସମେତ ଟ୍ରଷ୍ଟ ବୋର୍ଡ଼ର ସମସ୍ତ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ନିଶ୍ଚିନ୍ତକୋଇଲି ରଘୁନାଥ ଅନୁକମ୍ପା ପରିଷଦ ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପାଠ ଓ ହୋମ ଯଜ୍ଞ କରାଯାଇଥିଲା । ସଭାପତି ବଂଶୀଧର ପଣ୍ଡା, ସମ୍ପାଦକ ପ୍ରସନ୍ନ ପରିଜା,ସହସମ୍ପାଦକ ଅଶୋକ କୁମାର ମହାପାତ୍ରଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ହଜାର ହଜାର ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ମଧ୍ୟ ବିଭିନ୍ନ ରାମ ଓ ହନୁମାନ ମନ୍ଦିରରେ ସଂଯୋଜକ ରଂଜନ କୁମାର ଦାସଙ୍କ ସଂଯୋଜନାରେ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା ।