Onn 3

ଶିକ୍ଷା ,ସ୍ୱାସ୍ଥ୍ୟ ଓ ଗମନାଗମନ ପାଲଟିଛି ସାତସପନ, ତୁଳିପଦା ଗାଁରେ ବିକାଶ ଅପହଂଚ

State

ଆଗରପଡ଼ା ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜିଲ୍ଲାର ଅନେକ ଗାଁରେ ବିକାଶତ ଦୂରର କଥା ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ ୧୦ନଂ ୱାର୍ଡ଼ର ଗାଁ ତୁଳିପଦା ଠାରେ । ଏଠି ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସବୁ ବ୍ୟବସ୍ଥା ଲୋକଙ୍କ ପାଇଁ ପାଲଟିଛି ସାତ ସପନ । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ନାନା ପ୍ରତିଶୃତିମାନ ଗମନାଗମନ ସମସ୍ୟାର ସମାଧାନ ପାଇଁ ଦେଇଥାନ୍ତି ଓ ନିର୍ବାଚନ ପରେ ସବୁ ପାସୋରି ଯାଇଥାଆନ୍ତି ବୋଲି ଏହି ଗାଁର ଅଧିବାସୀ ମାନେ ଆମ ପ୍ରତିନିଧିଙ୍କୁ କହିଛନ୍ତି । ଏକ ଛୋଟିଆ ଗାଁ ତୁଳିପଦା ଯାହାର ଲୋକସଂଖ୍ୟା ପାଖାପାଖି ୫୦୦ । ତନ୍ନମଧ୍ୟରୁ ଭୋଟର ସଂଖ୍ୟା ପାଖାପାଖି ୨୦୦ । ଚାରିପଟେ ଚାଷଜମି ମଧ୍ୟରେ ରହିଯାଇଛି ଏହି ଛୋଟିଆ ଗାଁ । ମାତ୍ର ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ । ମୁଖ୍ୟ କେନାଲ ରାସ୍ତା ଠାରୁ ଲମ୍ବିଥିବା ମାଟି ରାସ୍ତାରେ ପ୍ରାୟ ୨କି.ମି ଗଲାପରେ ଏହି ଗାଁ ପଡ଼େ । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇ ଆଦୈା ସମ୍ଭବ ନୁହେଁ । ଚାଷଜମି ମଧ୍ୟରେ ୨/୩ ଫୁଟର ଲମ୍ବ ଥିବା ଏହି ମାଟି ରାସ୍ତାଟି ଖାଲ ଢିପରେ ପରିପୂର୍ଣ୍ଣ । ଧାନ ଫସଲ ସମୟରେ ସାପ ତଥା ଅନ୍ୟାନ୍ୟ କୀଟପତଙ୍ଗ ଏଠାରେ ଯାତାୟାତ ସଦାସର୍ବଦା କରିଥାନ୍ତି । ସଂଧ୍ୟାପରେ ଯିବା ଅର୍ଥ ବିପଦକୁ ଡ଼ାକି ଆଣିବା କିନ୍ତୁ ଏହା ଉପରେ ଗାଁ ଲୋକମାନେ ଯାଆଆସ କରିଥାନ୍ତି । ଏହି ଗାଁ ରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ସ୍କୁଲ ତଥା କଲେଜକୁ ଏହି ରାସ୍ତାଦେଇ ପ୍ରତିଦିନ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ଷା ଋତୁ ରେ ଏହି ଗାଁ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଥାଏ । ରାସ୍ତା ଅବସ୍ଥା ଯୋଗୁଁ ଏଠାରେ ପ୍ରତିଷ୍ଠିତ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ଠିକ୍ ଭାବେ ଶିକ୍ଷାଦାନ କରାଯାଇପାରିନଥାଏ । ଉକ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍ଥାୟୀ ରାସ୍ତା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ ।

ଏହି ଗାଁର ରୋଗୀମାନଙ୍କୁ ଖଟିଆରେ ବୁହା ହୋଇ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥାଏ । ଗମନାଗମନ ସମସ୍ୟା ଯୋଗୁଁ ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ, ଏହି ଗାଁର ପ୍ରାୟ ୨କି.ମି. ଦୂରରେ ରହିଥାନ୍ତି ତେଣୁ ଗର୍ଭବତୀ ମହିଳା ଚାଲି ଚାଲି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିବାର ନଜିର ମଧ୍ୟ ରହିଛି । ଏହି ପରି ଅସମ୍ଭବ ପରିସ୍ଥିତିମାନ ଏହି ଗାଁ ଲୋକେ ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ଗଣମାଧ୍ୟମରେ ସମସ୍ୟାକୁ ନେଇ ବାରମ୍ବାର ଖବର ପ୍ରକାଶିତ ହେବାପରେ ୨୦୨୦-୨୧ ଆର୍ଥିକ ବର୍ଷରେ ଏଫଡ଼ିଆର ଅର୍ଥରେ କେନାଲ ବନ୍ଧଠାରୁ ମାତ୍ର ୨୦୦ମିଟର ରାସ୍ତାକୁ କଂକ୍ରିଟ କରାଯାଇଥିବା ବେଳେ ୨୦୨୨-୨୩ ଆଥିର୍କ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଛିତ କର୍ମନିଯୁକ୍ତି ଯୋଜନାରେ ୮ଲକ୍ଷ ୯୯ହଜାର୨୩୦ଟଙ୍କା ଅଟକଳ ମୂଲ୍ୟରେ ଉକ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ଖର୍ଚ୍ଚ କରାଯାଇଥିଲେ ସୁଦ୍ଧା ଉକ୍ତ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରାଯାଇପାରିନାହିଁ । ତେଣୁ ଉକ୍ତ ଗ୍ରାମରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦୃଢ ଦାବି କରିଛନ୍ତି ।