Onn 3

ଖବର ପ୍ରକାଶ ପରେ ଉତ୍ତର ରଖିଲା ବିଭାଗ

State

ଆଗରପଡ଼ା :ଗତ ବର୍ଷ ଅଗଷ୍ଟ ମାସରେ “ବିପଦସଙ୍କୁଳ ଅବସ୍ଥାରେ ସବ୍‌ଷ୍ଟେସନ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ବନ୍ତ ବ୍ଳକ ଚାରିଗାଁ ପଂଚାୟତ ଅନ୍ତର୍ଗତ ରାଜନଗର ମଙ୍ଗଳପୁର ଗ୍ରାମର ସାମାଜିକ କର୍ମୀ କୈଳାସ ପୃଷ୍ଟି ଏକ୍ସ(ଟ୍ୱିଟର)ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ପଦାଧିକାରୀଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ଉକ୍ତ ସବ୍‌ଷ୍ଟେସନ ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ ପାଇଁ ଲାଗି ରହିଥିବା ସମସ୍ୟା ବିଷୟରେ ଅବଗତ କରାଯାଇଥିବା ଜଣାପଡ଼ିଛି । ବିଭାଗ ତରଫରୁ ମିଳିଥିବା ସୂଚନା ଅନଯାୟୀ; ସବ୍‌ଷ୍ଟେସନ ସ୍ଥାପିତ ହୋଇଥିବା ସ୍ଥାନରେ ଜାଗା ସମସ୍ୟା ଥିବାରୁ ଏହାର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ ପାଇଁ ସମସ୍ୟା ଦେଖା ଦେଇଛି ।

ଉକ୍ତ ସମସ୍ୟାର ସମାଧାନ ପରେ ଏଠାରେ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଠାରେ ପ୍ରକାଶ ଥାଉକି;ବନ୍ତ ବ୍ଲକ ଆଗରପଡ଼ା ବିଦ୍ୟୁତ୍ ବିଭାଗ ଅଧିନସ୍ଥ ମହାନ୍ତିପଡ଼ା ଗ୍ରାମପଂଚାୟତର ତ୍ରିସାଲିଆ ଗ୍ରାମରେ ୧୦୦କେଭିର ସବ୍‌ଷ୍ଟେସନ ବିପଦ ସଂକୁଳ ଅବସ୍ଥାରେ ଅଛି । ବର୍ତ୍ତମାନ ଏହା ଗୁଳ୍ମ ଘେରରେ ଦଣ୍ଡାୟମାନ ହୋଇଥିବାରୁ ମଣିଷ ଏବଂ ଗାଈ ଗୋରୁଙ୍କ ପାଇଁ ବିପଦ ସାଜିଛି । ଉକ୍ତ ସବ୍‌ଷ୍ଟେସନ ଉପରେ ଉକ୍ତ ଗ୍ରାମର ୩ଗୋଟି ସାହିର ପାଖାପାଖି ୫୦୦ରୁ ଉର୍ଦ୍ଧ ଉପଭୋକ୍ତା ନିର୍ଭର କରୁଥିବା ବେଳେ ଉକ୍ତ ରାସ୍ତା ଦେଇ ପିଲାମାନେ ବିଦ୍ୟାଳୟ, ମହାବିଦ୍ୟାଳୟ, ଅଙ୍ଗନୱାଡ଼ି ଓ ଶିଶୁ ମନ୍ଦିରକୁ ଯିବା ଆସିବା କରନ୍ତି । ଶହ ଶହ ଯାନବାହାନ ମଧ୍ୟ ଯିବା ଆସିବା କରେ । ତେଣୁ ଉକ୍ତ ସବ୍‌ଷ୍ଟେସନର ସୁରକ୍ଷା ପାଇଁ ଏହାର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ କରିବାକୁ ଦାବି ହୋଇଥିଲା ।