Onn 3

ଅଦିନିଆ ବର୍ଷା ଓ ମିଲରଙ୍କ ଅସହଯୋଗ, ମଣ୍ଡିରେ ଧାନ ଦେଇ ଚିନ୍ତାରେ ଚାଷୀ

State

ଆଗରପଡ଼ା:ମିଲରଙ୍କ ଅସହଯୋଗ ଏବଂ ସରକାରୀ ନିୟମ ଅନୁସାରେ ଆଜି ସୁଦ୍ଧା ଚାଷୀଙ୍କ ଧାନ ମଣ୍ଡିରୁ ଉଠି ନପାରି ଖୋଲା ଆକାଶ ତଳେ ଦିନ ଦିନ ଧରି ଅସୁରକ୍ଷିତ ଭାବେ ପଡ଼ି ରହିଥିବା ବେଳେ । ବର୍ତ୍ତମାନ ଅଦିନିଆ ବର୍ଷା ହେବା ଦ୍ୱାରା ଚାଷୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି । ବନ୍ତ ବ୍ଲକରେ ଥିବା ୧୦ଟି ସମବାୟ ସମିତିରେ ଏହି ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଥିବାର ଜଣାପଡ଼ିଛି । ପର୍ଯ୍ୟାୟ କ୍ରମେ ଆବଶ୍ୟକୀୟ ଧାନ ନଉଠି ପାରିବା ଫଳରେ ଅବଶିଷ୍ଟ ଧାନ ଗୁଡ଼ିକ ଖୋଲା ଆକାଶ ତଳେ ପଡ଼ି ରହିଛି । ଧାନ ଉଠି ପାରୁନଥିବାରୁ ଚାଷୀ ଓ ସମିତି ସଂପାଦକଙ୍କ ମଧ୍ୟରେ ପ୍ରତିଦିନ ଗଣ୍ଡଗୋଳ ସୃଷ୍ଟି ହେଉଥିବାର ପରିଲକ୍ଷିତ ହେଉଛି । ଧାନ ଉଠା କ୍ଷେତ୍ରରେ ଜିଲ୍ଲା ମିଲରମାନଙ୍କ ଅସହଯୋଗ ଫଳରେ ପ୍ରଶାସନ ପକ୍ଷରୁ ଅନ୍ୟ ଜିଲ୍ଲା ମିଲର ମାନେ କ୍ରୟ କରିବାର ବ୍ୟବସ୍ଥା କରାଯାଇଛି । ମାତ୍ର ଏହି ମିଲର ମାନେ ଅଧିକ ଧାନ କ୍ରୟ କରିବାରେ ଅକ୍ଷମ ହେଉଛନ୍ତି । ଯଦ୍ୱାରା ଚାଷୀମାନଙ୍କ ଧାନ ଉଠିପାରୁନଥିବା ଜଣାପଡ଼ିଛି । ଆଉ କେତେକ ଚାଷୀଙ୍କ ଅଭିଯୋଗ ଅନୁଯାୟୀ ମିଲର ଓ ସଂପାଦକଙ୍କ ମଧୁଚନ୍ଦ୍ର୍‌ିକାରୁ ସରକାରଙ୍କ ନିୟମାନୁସାରେ ଧାନ ମଣ୍ଡିରୁ ମିଲକୁ ଯାଉନାହିଁ ।

ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ମିଲରମାନେ ଠିକ ସମୟରେ ଧାନ ମଣ୍ଡିରୁ ନେଉନଥିବାରୁ ନିଜ ଧାନକୁ ଜରି ଗୋଡ଼ାଇ ରାତି ଦିନ ଚାଷିମାନେ ଜଗି ରହୁଥିବାର ପରିଲକ୍ଷିତ ହେଉଛି । ବୁଲା ଷଣ୍ଢ,ଗୋରୁଗାଈ ଓ ଛେଳିଙ୍କର ମଣ୍ଡିରେ ପଡ଼ିଥିବା ଧାନ ଆହାର ପାଲଟିଥିବା ବେଳେ ବର୍ତ୍ତମାନ ବର୍ଷା ହେବାରୁ ଧାନଗଦା ତଳେ ପାଣି ଜମି ରହିବ ଏବଂ ଧାନ ମଣ୍ଡିରୁ ଯଥା ଶିଘ୍ର ନ ଉଠିଲେ ଏହା ଗଜା ହୋଇ ନଷ୍ଟ ହେବ ବୋଲି ଚାଷୀ ମାନେ ଆଶଙ୍କା କରୁଛନ୍ତି । ବ୍ୟାଙ୍କ ଋଣ ଓ ଗାଉଁଲି ସୁଧରେ କରଜ ଆଣି ସାଧାରଣତଃ ଚାଷୀମାନେ ଚାଷ କାର୍ଯ୍ୟ କରିଥାନ୍ତି ଓ ଧାନ ବିକ୍ରି କରି ଏହାକୁ ପରିଶୋଧ କରିଥାନ୍ତି । ମଣ୍ଡିରେ ଧାନ ବିକ୍ରି ଅହେତୁକ ବିଳମ୍ବ ଯୋଗୁଁ କରଜ ଟଙ୍କାର ସୁଧ ବୃଦ୍ଧି ପାଉଛି । ଯଦ୍ୱାରା ଚିନ୍ତାରେ ଚାଷୀମାନେ ପଡ଼ିଯାଇଛନ୍ତି । ସରକାର ଚାଷୀମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ମିଲର ଓ ସଂପାଦକଙ୍କ ମଧୁଚନ୍ଦ୍ରିକା ଏବଂ ମଣ୍ଡିରେ ଦଲାଲଙ୍କ ସଂପୃକ୍ତି ଯୋଗୁଁ ମଣ୍ଡିରେ ଦିନ ଦିନ ଧରି ଧାନ ବିକ୍ରି ନ ହୋଇ ପଡ଼ି ରହିବା ଦୁଃଖର ବିଷୟ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି ।