Onn 3

ବାରିପଦାରେ ୬ ଦିନିଆ ମକର ପର୍ବ ଉଦଘାଟିତ

State

ବାରିପଦା: ମୟୁରଭଞ୍ଜର ଗଣପର୍ବ ମକର ପାଇଁ ସାରା ଜିଲ୍ଲା ଉତ୍ସବ ମୁଖରିତ I ପୁରପଲ୍ଲୀରେ ମହା ସମାରୋହରେ ଏହି ପର୍ବଟି ପାଳନ କରାଯାଉଥିଲେହେଁ ବାରିପଦା ସହରର ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ଅଂଚଳରେ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ୬ ଦିନ ଧରି ମକର ମିଳନ ପର୍ବ ଦୀର୍ଘ ବର୍ଷ ଧରି ପାଳିତ ହୋଇଆସୁଅଛି I ଏ ବର୍ଷ ମଧ୍ୟ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି I ସ୍ଥାନୀୟ ଗ୍ରାମ ଦେବତୀ ମା ଲାଲପାଟ ସାଲପାଟ ଙ୍କ ନିକଟରେ ପୂଜାଅର୍ଚନା କରି କ୍ଲବର ସଦସ୍ୟ, ଗ୍ରାମବାସୀ ଓ ଅତିଥି ଡଃ ବି ଅର ଆମ୍ବେଦକରଙ୍କ ମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରି ପ୍ରଥମ ଦିନର ଖେଳକୁଦ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୋରଡା ବିଧାୟକ ରାଜକିଶୋର ଦାସ, ସମ୍ମାନିତ ଅତିଥି ଭାବେ ଏମ ସି ସି ବ୍ୟାଙ୍କର ସଭାପତି ସୁବ୍ରମନିୟମ ମହାନ୍ତି, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି, ତଥା ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡାଙ୍କ ସମେତ କ୍ଲବର ସଭାପତି ଆଲୋକ କୁମାର ମହାନ୍ତି, ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ବିଶ୍ୱରଂଜନ ବାଗ, ସଦସ୍ୟା କଳ୍ପନା ମହାନ୍ତ, ମହେଶ୍ୱର ବେହେରା, ନବ କିଶୋର ପାଲବାବୁ ପ୍ରମୁଖ ଉପସ୍ଥିତ ଥିଲେ I

ଏହି କାର୍ଯ୍ୟକ୍ରମକୁ ସରୋଜ କୁମାର ମହାପାତ୍ର (ଲିଟନ), ଶେଖ ଅଜିଜ, ଉମେଶ ମହାରଣା, କାହ୍ନI ଘଡେଇ, ରାଜେଶ ସାହୁ ଓ ସତ୍ୟ ନାରାୟଣ ଗୋଛାୟତ ପ୍ରମୁଖ ପରିଚାଳନା କରିଥିଲେ I ଆଜି ସକାଳେ ଏକ ମଶାଲ ଯାତ୍ରା ସହର ପରିକ୍ରମା କରିଥିଲା I ଆଜି ଓ ଆସନ୍ତା କାଲି ଅନୁଷ୍ଠିତ ୭୦ ପ୍ରକାର ଖେଳକୁଦ ପ୍ରତିଯୋଗିତାରେ ଆବାଳବୃଦ୍ଧବନିତା ଅଂଶ ଗ୍ରହଣ କରିଛନ୍ତି I ତତସହିତ ଆଜି ସନ୍ଧ୍ୟାରେ ଡବଲସ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହେବାକୁ ଯାଉଛି I ୧୭ ତାରିଖ ସକାଳେ ମାରାଥନ ଦୌଡ଼ ସହ ସନ୍ଧ୍ୟାରେ କବାଡି ଓ କ୍ୟାରମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ଆୟୋଜକ ଲିଟନ ମହାପାତ୍ର ଜଣାଇଛନ୍ତି I ୧୮ ଓ ୧୯ ତାରିଖ ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗିତା ସହ ଓଡିଶୀ, ସମ୍ବଲପୁରୀ, ଝୁମର ନୃତ୍ୟ ମଧ୍ୟ ପରିବେଷିତ ହେବ I ୨୦ ତାରିଖ ଦିନ ଏହି ଉତ୍ସବ ଉଦଯାପିତ ହେବ ବୋଲି ସଭାପତି ଶ୍ରୀ ମହାନ୍ତି ଜଣାଇଛନ୍ତି I