Photo

ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳକୁ କୁଡୁମୀ ଜାତିର ଲୋକ ବର୍ଜନ କରନ୍ତୁ – କୁଡୁମୀ ସେନା

State

ବାରିପଦା: କେତେବେଳେ କୁଡୁମୀ ଡେଭଲପମେଣ୍ଟ କାଉନସିଲ ତ କେତେବେଳେ କୁଡୁମୀ ଭବନ ତ ଆଉ କେତେବେଳେ ସର୍ବେ I ଏପରି ଭାବେ ରାଜ୍ୟ ସରକାର କୁଡୁମୀ ଜାତିକୁ ବିଭ୍ରାନ୍ତ କରିବା ପାଇଁ ବାରମ୍ବାର ଅପଚେଷ୍ଟା କରି ଆସିଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କୁଡୁମୀ ସେନା ପକ୍ଷରୁ କୁହାଯାଇଛି I କୁଡୁମୀ ସେନାର ପ୍ରତିଷ୍ଠାତା ଅଧକ୍ଷ ଶ୍ରୀ ଜୈମୁନି କୁମାର ମହାନ୍ତ ବାରିପଦା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସରକାରଙ୍କ ଛଳନା କୁ ତୀବ୍ର ସମାଲୋଚନା କରିଛନ୍ତି I
ଏହି ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ଆବଶ୍ୟକୀୟ ସୁପାରିସ ପତ୍ର କେନ୍ଦ୍ର ସରକାରଙ୍କୁ ପ୍ରେରଣ କରିବା ପରିବର୍ତ୍ତେ ବର୍ଷ ବର୍ଷ ଧରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ୨୫ ଲକ୍ଷ କୁଡୁମୀ ଜନ ସାଧାରଣଙ୍କୁ ଠକି ଚାଲିଛନ୍ତି ବୋଲି ଶ୍ରୀ ମହାନ୍ତ ଅଭିଯୋଗ କରିଛନ୍ତି I

ଅନ୍ୟ ପକ୍ଷରେ କୁଡୁମୀ ଜାତିକୁ ରାଜନୈତିକ ସମ୍ମାନର ଆଳ ଦେଖାଇ ଜଣେ କୁଡୁମୀ ମହିଳାଙ୍କୁ ରାଜ୍ୟସଭା ସାଂସଦ ଭାବେ ଓ ଅନ୍ୟ ଜଣେ ମହିଳାଙ୍କୁ ବିଧାୟିକା ଭାବେ ଶ୍ରୀ ପଟ୍ଟନାୟକ ନିର୍ବାଚିତ କରିଥିଲେ ଏବଂ ଏହାକୁ ନେଇ ସମସ୍ତେ ଖୁସି ହୋଇଥିଲେ I ତା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୁଡୁମୀ ଜାତି ପ୍ରତି ସଦୟ ହୋଇଛନ୍ତି ବୋଲି ବେଶ ପ୍ରଚାର ପ୍ରସାର ମଧ୍ୟ ହୋଇଥିଲା I ତେବେ ସମୟ ଅତିକ୍ରାନ୍ତ ହେବ ସହିତ ଏହି ଜାତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲଲିପପ୍ ଧରେଇ ଦେଇଛନ୍ତି ବୋଲି ଏବେ ସମସ୍ତେ ଅନୁଭବ କରୁଛନ୍ତି ବୋଲି ଶ୍ରୀ ମହାନ୍ତ କହିଛନ୍ତି , କାରଣ ଏହା ଦ୍ୱାରା ଉକ୍ତ ଦୁଇ ବିଧାୟିକା ଓ ସାଂସଦ ଙ୍କ ବ୍ୟକ୍ତିଗତ ଲାଭ ହେଲା ସିନା କିନ୍ତୁ ଅବଶିଷ୍ଟ କୁଡୁମୀ ଭାଇ ଭଉଣୀ ଏହା ଦ୍ୱାରା କୌଣସି ଭାବେ ଉପକୃତ ହୋଇପାରିଲେ ନାହିଁ I କୁଡୁମୀ ଜାତି ପୂର୍ବପରି ଆଦିବାସୀ ମାନ୍ୟତା ପାଇଲେ ହିଁ ଜାତିର ପ୍ରତିଟି ପୁରୁଷ ନାରୀ ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ ଆଉ ଏଠି ପାଇଁ ପ୍ରଥମେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବା ଆବଶ୍ୟକ I ସେପଟେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ସୁପାରିସ ପତ୍ର ହାତରେ ନ ଧରି ଉକ୍ତ ମହିଳା ସାଂସଦ ଜଣକ ସଂସଦରେ ଏନେଇ ପ୍ରଶ୍ନ କରୁଛନ୍ତି I ଯାହା ଅତନ୍ତ୍ୟ ହାସ୍ୟାସ୍ପଦ ଘଟଣା ଓ ସେ ନିଜେ ନିଜର ଜାତି ଭାଇ ଭଉଣୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାନ୍ତ କହିଛନ୍ତି I

ନିକଟ ଅତୀତରେ ଓଡିଶାର ଅନେକ ଗୁଡିଏ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସୁପାରିସ କରିଛନ୍ତି I ମାତ୍ର ଯେତେବେଳେ କୁଡୁମୀ ଜାତି କଥା ଆସୁଛି ସେତେବେଳେ ସର୍ଭେ କରିବାକୁ ଆଦେଶ ଦେଉଛନ୍ତି I କିନ୍ତୁ ଅନ୍ୟ ଜାତି ପାଇଁ ସର୍ଭେ ଆବଶ୍ୟକ ହେଉନାହିଁ ଏହା ହିଁ ତାଙ୍କର ଦୋହରା ଚରିତ୍ରକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ମହାନ୍ତ କହିଛନ୍ତି I ଶ୍ରୀ ପଟ୍ଟନାୟକ ଏଭଳି ଭାବେ ତାଙ୍କର ସମଗ୍ର ମୁଖ୍ୟମନ୍ତ୍ରୀତ୍ୱ କାଳରେ ଠକି ଆସିଛନ୍ତି I

ଏହି ମର୍ମ ରେ କୁଡୁମୀ ସେନାର ପ୍ରମୁଖ ନେତୃବୃନ୍ଦଙ୍କୁ ନେଇ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ଆସନ୍ତା ଫେବୃଆରୀ ୨୦ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରକୁ ସୁପାରିସ ପତ୍ର ପଠାଇବାକୁ ଦାବି କରାଯାଇଛି . ଅନ୍ୟଥା ଓଡିଶା ର ସମସ୍ତ କୁଡୁମୀ ଜନସାଧାରଣ ମୁଖ୍ୟମନ୍ତ୍ରୀ ତାଙ୍କ ଦଳକୁ ବର୍ଜନ କରିବା ପାଇଁ ଆହ୍ୱାନ ଦିଆଯାଇଛି . ସେହିପରି ଆସନ୍ତା ଫେବୃଆରୀ ୨୮ ତାରିଖରେ ବାରିପଦା ଠାରେ ଅଧିକାର ସମାବେଶ ଅନୁଷ୍ଠିତ ହେବ ବୋଲି କୁଡୁମୀ ସେନା ପକ୍ଷରୁ ଘୋଷଣା କରାଯାଇଛି I
ଏହି ସାଙ୍ଗଠନିକ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ବିବେକାନନ୍ଦ ମହାନ୍ତ ,ଜୈକୃଷ୍ଣ ମହାନ୍ତ ,ଉପେନ୍ଦ୍ର ମହାନ୍ତ ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାଇରାମ ମହାନ୍ତ , କୁଡୁମି ଛାତ୍ର ସେନା ସଭାପତି ଅଜିତ ମହାନ୍ତ , ମହେଶ୍ୱର ମହାନ୍ତ, ମାନଗୋବିନ୍ଦ ମହାନ୍ତ , ବୁଲୁ ମହାନ୍ତ ,କୁଡୁମି ଯୁବ ସେନା ବିଶ୍ୱନାଥ ମହାନ୍ତ ,ଜଗଦୀଶ ମହାନ୍ତ , ବୀରେନ୍ଦ୍ର ମହାନ୍ତ , ରତିରଞ୍ଜନ ମହାନ୍ତ , ହୀରାଲାଲ ମହାନ୍ତ ,ଘନଶ୍ୟାମ ମହାନ୍ତ , ଜୟଚନ୍ଦ୍ର ମହାନ୍ତ ,ମହିଳା ସେନା ର ସୁଜାତା ମହାନ୍ତ ,ଅଞ୍ଜଳି ମହାନ୍ତ ,ସବିତା ମହାନ୍ତ , ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାନ୍ତ , ଲକ୍ଷ୍ମୀଧର ମହାନ୍ତ , ତୁଳସୀ ମହାନ୍ତ , ରାଜାରାମ ମହାନ୍ତ ଓ ଅନ୍ୟାନ୍ୟ ସାଙ୍ଗଠନିକ ନେତୃବୃନ୍ଦ ବହୁ ସଂଖ୍ୟାରେ ଯୋଗଦେଇଥିଲେ .