Photo For The News Of Police

ପୋଲିସ ମାଡ଼ରେ କଣ୍ଠଶିଳ୍ପୀ ଲହୁଲୁହାଣ, ପୋଲିସ ବିରୁଦ୍ଧରେ କେସ ରୁଜ୍ଜୁକଲା ପୋଲିସ

Crime State

ଆଗରପଡ଼ା :ଚେକିଂ ଆଳରେ ନିର୍ଦ୍ଧିଷ୍ଟ କିଛି ପୋଲିସ କର୍ମଚାରୀ ଜଣେ ଯୁବ କଣ୍ଠଶିଳ୍ପୀଙ୍କୁ ମାଡ଼ମାରି ସେ ପିନ୍ଧିଥିବା ସୁନାଚେନ ଓ ମୋବାଇଲକୁ ଛଡ଼ାଇନେବା ଘଟଣାକୁ ବୁଦ୍ଧିଜୀବୀମାନେ ନିନ୍ଦା କରିବା ସହ ପ୍ରକୃତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି । ଗତକାଲି ଶନିବାର ରାତି ପ୍ରାୟ ୧୧ଟା ସମୟରେ ଆଗରପଡ଼ା ଥାନା ଅନ୍ତର୍ଗତ ତେଲନଟି ଗ୍ରାମର ଗୋପୀନାଥ ନାୟକ ମେଲୋଡ଼ି ପ୍ରୋଗ୍ରାମ ସାରି ନିଜ କାର ଯୋଗେ ଘରକୁ ଫେରୁଥିଲେ । ଆଗରପଡ଼ା ସ୍ଥିତ କାଣ୍ଡବା ସାଳନ୍ଦୀନଦୀ ସେତୁର କିଛିଦୂରରେ ପୋଲିସ ଗାଡ଼ି କାଗଜପତ୍ର ଚେକିଂ କରୁଥିଲା । ଗୋପୀନାଥ ଗାଡ଼ି କାଗଜପତ୍ର ପୋଲିସକୁ ଦେଖାଇବା ପରେ ତାଙ୍କୁ କର୍ମଚାରୀମାନେ ଟଙ୍କା ମାଗିଥିଲେ । ମୋ ପାଖରେ ଟଙ୍କା ନାହିଁ ଯାହା ଅଛି ଫୋନପେରେ ଅଛି ବୋଲି ଗୋପୀନାଥ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ କର୍ମଚାରୀମାନେ ଗୋପୀନାଥଙ୍କୁ ଗାଡ଼ିରୁ ଘୋଷାଡ଼ି ଆଣି ମାଡ଼ ମାରିବା ସହ ସେ ପିନ୍ଧିଥିବା ସୁନାଚେନ ଓ ମୋବାଇଲକୁ ଛଡ଼ାଇନେଇଥିଲେ ।

ପୋଲିକୁ ଜଣାଇଲେ ଜୀବନରୁ ମାରିଦେବେ ବୋଲି ମଧ୍ୟ କର୍ମଚାରୀମାନେ ଗୋପୀନାଥଙ୍କୁ ଧମକ ଦେଇଥିଲେ ବୋଲି ତାଙ୍କ ସ୍ତ୍ରୀ ମଧୁସ୍ମିତା ନାୟକ ଥାନାରେ ଅଭିଯୋଗ କରିଛନ୍ତି । ରାତିସାରା ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରି ପାଇ ନଥିଲେ । ସକାଳୁ ସେ ମେଡ଼ିକାଲରେ ଥିବାର ଖବର ପାଇଥିଲେ । ତିନିଜଣ କର୍ମଚାରୀ ସାଧାପୋଷାକରେ ଓ ଜଣେ କର୍ମଚାରୀ ପୋଲିସ ପୋଷାକରେ ଥିଲେ ବୋଲି ଗୋପୀନାଥ କହୁଛନ୍ତି । ଗୋପୀନାଥ ବର୍ତ୍ତମାନ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ଦେହସାରା ମାଡ଼ମରା ଚିହ୍ନ ସ୍ପଷ୍ଟଭାବେ ପରିଲକ୍ଷିତ ହେଉଛି । ଥାନା ଆଇଆଇସି ଅମିତ ଭୂୟାଁ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଯିଏ ଦୋଷୀ ସିଏ ନିଶ୍ଚିନ୍ତ ଦଣ୍ଡ ପାଇବ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ଏସଂପର୍କରେ ଥାନା କେସ ନଂ ୨୪୫/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଥିବାର ଜଣାପଡ଼ିଛି ।