Onn 3

ବାଇକ ଦୁର୍ଘଟଣା:ଜଣେ ମୃତ ଓ ଦୁଇ ଆହାତ

State

ଆଗରପଡ଼ା :ଏକ ଦୁର୍ଘଟଣାରେ ବାଇକ ଚାଳକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଆରୋହୀ ଆହତ ହୋଇ ମେଡ଼ିକାଲରେ ଚିକିତ୍ସାଧିନ ଥିବାର ଜଣାପଡ଼ିଛି । ଏହି ଖବରପାଇ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବ୍ଲକ ବିଜେଡ଼ି ଯୁବ ସଭାପତି ସତ୍ୟସାଧନ ବେଜ ପ୍ରମୁଖ ଆଗରପଡ଼ା ମେଡ଼ିକାଲକୁ ଯାଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଦ୍ୱୟଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । ଗୁରୁବାର ମହାନ୍ତିପଡ଼ା ଗ୍ରାମର ଅକ୍ଷୟ ଦାସ ତାଙ୍କ ବାଇକରେ କୈାଣସି କାର୍ଯ୍ୟ ପାଇଁ କୁପାରୀ ଯାଇଥିଲେ । ସେଠାରୁ ଫେରୁଥିବାବେଳେ ହରିପୁର-ବାଉଁଶଗଡ଼ିଆର ତଳକୂରୁବା କେନାଲ ଗଳିଆ ପୋଲ ତଳକୁ ଭାରସାମ୍ୟ ହରାଇ ବାଇକ ସହ ଖସିପଡ଼ିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି । ଏହି ଖବର ପାଇ ତାଙ୍କୁ ଓ ତାଙ୍କ ବାଇକରେ ଥିବା ମହାନ୍ତିପଡ଼ା ଗ୍ରାମର ସ୍ମୃତିରଂଜନ ସାହୁ ଓ ଭୀମସେନ ଦେହୁରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଆଗରପଡ଼ା ମେଡ଼ିକାଲକୁ ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ଅଶାଯାଇଥିଲା ।

ମେଡ଼ିକାଲରେ ପହଂଚିବା ବେଳକୁ ଅକ୍ଷୟଙ୍କ ମୃତ୍ୟୁ ଘଟି ସାରିଥିଲା ବୋଲି ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି । ସ୍ମୃତିରଂଜନଙ୍କ ଅବସ୍ଥା ଗୁରୁତରଥିବାରୁ ତାଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ଓ ଭୀମସେନଙ୍କୁ ବର୍ତ୍ତମାନ ଆଗରପଡ଼ା ମେଡ଼ିକାଲରେ ଚିକିତ୍ସା କରାଯାଉଛି । ଏହି ଖବର ମିଳିବା ପରେ ମେଡ଼ିକାଲ ପରିସର ଲୋକାରଣ୍ୟ ହୋଇଯାଇଥିଲା । ଅକ୍ଷୟଙ୍କ ମୃତ୍ୟୁରେ ଏଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ରାଜମିସ୍ତ୍ରୀ ଭାବେ ଏକ ସ୍ୱତନ୍ତ୍ର ପରିଚୟ ଥିଲା । ତାଙ୍କର ଦୁଇ ପୁଅଝିଅ ଅଛନ୍ତି । ଅନୁରୂପଭାବେ ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବରିଷ୍ଠ କଂଗ୍ରେସନତା ସୁର ରାଉତରାୟ, ପଞ୍ଚାନନ ମଣ୍ଡଳ, ସୁବ୍ରତ ଦାସ, ରାଜକିଶୋର ସ୍ୱାଇଁ, ରବିନାରାୟଣ ମହାନ୍ତି ପ୍ରମୁଖ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।