Onn 3

ପ୍ରତିଭା ଆଗରେ ହାର ମାନିଲା ଦାରିଦ୍ର୍ୟ, ଜାତୀୟ ସ୍କୁଲ କ୍ରୀଡା ପ୍ରତିଯୋଗିତାରେ ନୃତ୍ୟ ପରିବେଷଣ କଲେ ପି ସି ପୁର ଦଳ

sports State

ବାରିପଦା : ଭୁବନେଶ୍ୱର ସ୍ଥିତ କିଟ ଏବଂ କିସ ପରିସରରେ ଆୟୋଜିତ ୬୭ ତମ ଜାତୀୟ ସ୍କୁଲ କ୍ରୀଡା ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ ଜଣ ଛାତ୍ର ଆକର୍ଷଣୀୟ ନୃତ୍ୟ କରି ସମସ୍ତଙ୍କୁ ବିମୋହିତ କରିଥିଲେ I ଏହି କ୍ରୀଡା ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କ ସମେତ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଦ୍ୟାଳୟ ଓ ଗଣଶିକ୍ଷା କମିଶନର ଅଶ୍ୱସ୍ତି ଏସ ତଥା ବହୁ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଆଦି ବିଷୟବସ୍ତୁ ଉପରେ ଆଧାରିତ ନୃତ୍ୟକୁ ଜାଗେନ କିସ୍କୁ, କିସୁନ କିସ୍କୁ, ରାମଚନ୍ଦ୍ର ହେମ୍ବ୍ରମ, ସୋମପ୍ରକାଶ ବିଶୋଇ, ରୁଷିକ ସୋରେନ ଓ ଦଶରଥ ମାଝୀ ପରିବେଷଣ କରିଥିବା ବେଳେ ପିଣ୍ଟୁ ମହାନ୍ତ କଥାବସ୍ତୁ ଉପସ୍ଥାପନା କରିଥିଲେ I ପ୍ରକାଶ ଥାଉକି ଏହି ପିଲାମାନେ ଏକଦା ଦାରିଦ୍ରତା ସହ ସଂଘର୍ଷ କରୁଥିବା ବେଳେ ପରବର୍ତ୍ତୀ ସମୟରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନେତାଜୀ ସୁଭାଷ ବୋଷ ଆବାସିକ ହଷ୍ଟେଲ ରହି ପାଠ ପଢ଼ିବାର ସୁଯୋଗ ପାଇଥିଲେ I

ତାଙ୍କ ଭିତରେ ଥିବା ପ୍ରତିଭାକୁ ଉପଲବ୍ଧି କରି ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ପ୍ରେରଣାରେ ତଥା ନୃତ୍ୟଗୁରୁ ରୁପମ ରାମଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଥିଲେ I ରାଜ୍ୟରେ ପ୍ରଥମ ହୋଇଥିବାରୁ ସେମାନେ ଏହି ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ନୃତ୍ୟ ପ୍ରଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ତତସହିତ ଜୀବନରେ ପ୍ରଥମ ଥର ପାଇଁ ବଡ ହୋଟେଲରେ ରହିବା ବହୁ ଦର୍ଶନୀୟ ସ୍ଥାନ ମଧ୍ୟ ବୁଲି ଦେଖିବାର ସୁଯୋଗ ପାଇଥିଲେ I ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାଏକଙ୍କ ନେତୃତ୍ୱରେ ଏହି ଦଳ ସହିତ ନୃତ୍ୟଗୁରୁ ଶ୍ରୀ ରାମ ଓ ୱାର୍ଡେନ ସରୋଜ କୁମାର ସାବତ ପ୍ରମୁଖ ସାମିଲ ଥିଲେ I ଫେରିବା ପରେ ସେମାନଙ୍କୁ ସାଥି ଅନ୍ତେବାସୀ ଗଣ ଭବ୍ୟ ସ୍ୱାଗତ କରିଥିଲେ I