Onn 3

କାଗଜ କଲମରେ ସୀମିତ ସରକାରୀ ସହାୟତା, ଭିନ୍ନକ୍ଷମ କମଳାଙ୍କ ପାଇଁ ହ୍ୱିଲ ଚେୟାର ସାତସପନ

State

ଆଗରପଡ଼ା : ଗତ ଅପ୍ରେଲ ମାସରେ ଚିକିତ୍ସାରେ ଅର୍ଥାଭାବ ବାଧକ ସହାୟତା ଅପେକ୍ଷାରେ କମଳା ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶିତ ହେବାପରେ ବନ୍ତ ପ୍ରଶାସନ ପକ୍ଷରୁ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଦିପ ସେଠୀ ଜିଲ୍ଲାପାଳଙ୍କୁ କମଳାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବାରୁ ତାଙ୍କର ତୁରନ୍ତ ଚିକିତ୍ସା ନିମନ୍ତେ ରେଡ଼କ୍ରସ ତରଫରୁ ସାହୟତା ରାଶି ଯୋଗାଇ ଦେବାକୁ ଚିଠି କରିଥିବା ଜଣାପଡ଼ିଥିଲା । ଏଥି ସହିତ ବିଡ଼ିଓଙ୍କ ନିର୍ଦ୍ଦେଶରେ ତତ୍କାଳୀନ ବ୍ଳକ ସାମାଜିକ ସୁରକ୍ଷା ବିଭାଗ ଭାରପ୍ରାପ୍ତ ଅଧିକାରୀ ନିଶାକର ଖୁଣ୍ଟିଆ କମଳାଙ୍କ ଘରକୁ ଯାଇ ତାଙ୍କଠାରୁ ତାଙ୍କୁ ହ୍ୱିଲ ଚେୟାର ପ୍ରଦାନ ପାଇଁ ଆବଶ୍ୟକୀୟ ସରକାରୀ କାଗଜ ପତ୍ର ସଂଗ୍ରହ କରିବା ସହ ଏହା ତାଙ୍କୁ ଖୁବ୍ ଶୀଘ୍ର ପ୍ରଦାନ କରାଯିବ ଓ ଆଗାମୀ ଦିନରେ ଅନ୍ୟ ସମସ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିବାର ଜଣାପଡ଼ିଥିଲା ।

ଉକ୍ତ ପ୍ରତିଶ୍ରୁତିକୁ ଇତି ମଧ୍ୟରେ ୩ ମାସ ପୂରିବାକୁ ବସିଥିବା ବେଳେ ବିଭାଗ ତରଫରୁ ଏଥିପ୍ରତି କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଅଧିକାରୀଙ୍କ ପ୍ରତିଶ୍ରୁତି କାଗଜ କଲମରେ ସୀମିତ ରହିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏଠାରେ ପ୍ରକାଶ ଥାଉକି,ମନ ଭିତରେ ବହୁ ଆଶା ନେଇ ସ୍ୱାମୀଙ୍କ ହାତଧରି ଘର ସଂସାର କରିଥିଲେ କମଳା । ବିବାହର କିଛି ବର୍ଷ ନପୁରୁଣୁ ସ୍ୱାମୀ ଆଖି ବୁଜିଲେ । ଶାଶୂଘରେ ଏକାକୀ ଜୀବନ ବିତାଇବା କଷ୍ଟକର ହୋଇପଡ଼ିଲା । ଭଉଣୀର ଦୁଃଖକୁ ଦେଖି ବଡ଼ ଭାଇ ତାଙ୍କୁ ଘରକୁ ନେଇ ଆସିଲେ । ହେଲେ ସେତିକିରେ ସରିନି ତାଙ୍କ ଦୁଃଖ । କିଛି ବର୍ଷ ହେବ କମଳାଙ୍କ ଦୁଇଗୋଡ଼ ପକ୍ଷାଘାତ (ପାରାଲିସିସ)ରେ ଆକ୍ରାନ୍ତ ହୋଇଛି । ବନ୍ତ ବ୍ଲକ ଅଣିଜୋ ପଂଚାୟତର ସ୍ୱର୍ଗତ ହରେକୃଷ୍ଣ ବାରିକଙ୍କ ଝିଅ କମଳା(୪୪) । ଜିରାଗୁମରୀ ଗ୍ରାମର ଦାମୋଦର ବାରିକଙ୍କୁ ସେ ବିବାହ କରିଥିଲେ । ବିବାହ କରିବାର କିଛି ବର୍ଷ ପରେ ସ୍ୱାମୀଙ୍କ କୈଣସି କାରଣରୁ ମୃତ୍ୟୁବରଣ ଘଟିଥିଲା । ଶାଶୂ ପରେ ଭଉଣୀର ଦୁଃଖକୁ ଦେଖି ବଡ଼ଭାତ କମଳାକୁ ଘରକୁ ନେଇ ଆସିଥିଲେ । ତେବେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଭଉଣୀର ଆରେଗ୍ୟ ପାଇଁ ଭାଇ ବହୁ ଲୋକଙ୍କ ଠାରୁ ଧାର କରଜ କରି କଟକ ଓ ଭୁବନେଶ୍ୱରକୁ ନେଇ ଚିକିତ୍ସା କରିଥିଲେ ମଧ୍ୟ ସେ ଆରୋଗ୍ୟ ହୋଇପାରି ନାହାନ୍ତି । ଫଳରେ ଗୋଟିଏ ସ୍ଥାନରେ ପଡ଼ିରହିଛନ୍ତି । ସରକାରଙ୍କ ପକ୍ଷରୁ ତାଙ୍କୁ ୫କେଜି ଚାଉଳ ସହ ୫ଶହ ଟଙ୍କା ଭତ୍ତା ମିଳୁଛି ।

ସେଥିରେ ନିଜର ଜୀବନ ନିର୍ବାହ କରିବା ବହୁ କଷ୍ଠ କର ବ୍ୟପାର ହୋଇଛି । ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଟିଏ ପାଇବାକୁ ସେ ଯୋଗ୍ୟ ଥିବା ବେଳେ ତାଙ୍କୁ ତାହା ମିଳିପାରିନାହିଁ । ସରକାରଙ୍କ ପକ୍ଷରୁ ତାଙ୍କୁ ଚିକତ୍ସା ପାଇଁ ସହାୟତା ସହ ସରକାରୀ ଆବାସ ମିଳିଲେ ତାଙ୍କ ସମସ୍ୟାରେ ସାମାନ୍ୟ ସୁଧାର ଆସିପାରନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ । ଉକ୍ତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ଉକ୍ତ ଅଂଚଳର ସାମାଜିକ କର୍ମୀ କୈଳାଶ ପୃଷ୍ଟି ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟକୁ ପଠାଇଥିଲେ । ପରେ ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶାନୁଯାୟୀ ବିଡ଼ିଓ ପ୍ରଦିପ ସେଠୀ ଜିଲ୍ଲାପାଳଙ୍କୁ କମଳାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବାରୁ ତାଙ୍କର ତୁରନ୍ତ ଚିକିତ୍ସା ନିମନ୍ତେ ରେଡ଼କ୍ରସ ତରଫରୁ ସାହୟତା ରାଶି ଯୋଗାଇ ଦେବାକୁ ଚିଠି କରିବା ସହ ଆଗାମୀ ଦିନରେ ସମସ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିବାର ଜଣାପଡ଼ିଥିଲା ।