Onn 3

ସ୍ୱଚ୍ଛଭାରତ ବାଟବଣା, ସ୍ୱାସ୍ଥ୍ୟ କେନ୍ଦ୍ର ପାଲଟିଲାଣି ଜଙ୍ଗଲ

State

ଆଗରପଡ଼ା :ବନ୍ତ ବ୍ଲକ କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ) ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ସଂରକ୍ଷିତ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତିଦିନ ଆଡ଼ିଆ, ଅଡ଼ାଳପଙ୍କ, ଗୋପାଳପୁର, କାଉପୁର, ଗଣିଜାଙ୍ଗ ଆଦିର ଶତାଧିକ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ଆସିଥାନ୍ତି । କିନ୍ତୁ ଭକ୍ତ କେନ୍ଦ୍ର ପରିସରରେ ଅନାବନା ଗଛ ଭର୍ତ୍ତି ହୋଇଥିଲେ ସୁଦ୍ଧା ଏହାକୁ କାଟି ସଫା କରିବା ପାଇଁ ବିଭାଗୀୟ କର୍ମଚାରୀମାନେ ଦୃଷ୍ଟି ନଦେବାକୁ ନେଇ ସ୍ୱାସ୍ଥ୍ୟ ସେବା ପାଇଁ ଏଠାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷଭାବ ସୃଷ୍ଟି ହୋଇଛି । ୧୯୯୪ ମସିହାରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବା ପରଠାରୁ ଏହାର ଭିତ୍ତି ଭୂମିରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇପାରି ନଥିଲା । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରୀୟ ଟିମ ଗସ୍ତ ପୂର୍ବରୁ ଏହାର କଳେବର ରଙ୍ଗିନ ହୋଇପାରି ଥିଲା । ମାତ୍ର ଡ଼ାକ୍ତର ନଥିବାରୁ ରୋଗୀମାନେ ନାନା ହିନସ୍ତା ହେଉଥିଲେ । ଭାରାପ୍ରାପ୍ତ ଡ଼ାକ୍ତର ପଦବୀ ଦୀର୍ଘ ବର୍ଷ ଧରି ଏଠାରେ ଖାଲି ପଡ଼ିିବା ପରେ ଗତ ୨ବର୍ଷ ହେବ ସରକାର ଏଠାରେ ଏକ ନିୟମିତ ଡ଼ାକ୍ତର ନିଯୁକ୍ତି ଦେଇଥିଲେ । ସେହିପରି ଡ଼ାକ୍ତରଙ୍କ ରହିବା ପାଇଁ ଗୃହ ସମେତ ପାଚେରୀ ନିର୍ମାଣ କରାଯାଇଥିଲା ।

ପାନୀୟ ଜଳ ଓ ବିଦ୍ୟୁତ ସେବା ଉପରେ ମଧ୍ୟ ସରକାର ଗୁରୁତ୍ୱାରୋପ କରିଥିଲେ । ବିଭାଗୀୟ ଅଧିକାରୀମାନେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରି ଭାରପ୍ରାପ୍ତ ଡ଼ାକ୍ତରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ସୁଦ୍ଧା ଏଠାରେ ଆଜି ସୁଦ୍ଧା କୌଣସି କର୍ମଚାରୀ ରହୁନଥିବା ଜଣାପଡ଼ିଛି । ଏହାର ସମ୍ମୁଖ ଭାଗକୁ ଛାଡ଼ି ଅନ୍ୟ ପାଶ୍ୱର୍ରେ ନାନାଦି ଅନାବନା ଗଛ ଉଠି ଅପରିଷ୍କାର ପରିବେଶ ସୃଷ୍ଟି କରିବା ସହ ଏଥି ମଧ୍ୟରେ ବିଷଧର ସାପମାନେ ରହିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ସେହିପରି ଏହାର ପରିସରରେ ପୁରୁଣା ଗୃହ ଥିଲେ ମଧ୍ୟ ଏହାକୁ ଭାଙ୍ଗିବାର କୌଣସି ବନ୍ଦୋବସ୍ତ କରାଯାଉନଥିବା ମଧ୍ୟ ଚିନ୍ତାର ବିଷୟ ପାଲଟିଛି । ସରକାରଙ୍କ ସ୍ୱଚ୍ଛଭାରତ ଅଭିଯାନ ଏଠାରେ ସଂପୂର୍ଣ୍ଣ ବାଟବଣା ହୋଇପଡ଼ିଛି । ତେଣୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟିରେ ଲାଗି ରହିଥିବା ଏହି ସବୁ ସମସ୍ୟାକୁ ଶୀଘ୍ର ସମାଧାନ କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିି ଦେବାକୁ ଦାବି ହେଉଛି ।