Onn 3

ସରିଲା ଆଡପ ଦର୍ଶନ, ଆସନ୍ତାକାଲି ବାହୁଡା ଯାତ୍ରା

Religion and Cult State

ପୁରୀ: ଆଡ଼ପମଣ୍ଡପ ମଣ୍ଡପରେ ଚଳିତବର୍ଷର ଶେଷ ଦର୍ଶନ ଦେଲେ ମହାପ୍ରଭୁ ।ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କ ସନ୍ଧ୍ୟାଦର୍ଶନ କଲେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁ । ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଆସନ୍ତାକାଲି ବାହୁଡା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ସେପଟେ ଦୀର୍ଘଦିନ ପରେ ଆଡ଼ପମଣ୍ଡପରେ ଗଜପତି ଦିବ୍ୟସିଂହ ଦେବ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି  ଭାବବିହ୍ଵଳ ହୋଇ ପଡ଼ିଛନ୍ତି ମହାପ୍ରଭୁ ।

ଆସନ୍ତାକାଲି ବାହୁଡା । ଶ୍ରୀମନ୍ଦିର ଫେରିଯିବେ ମହାପ୍ରଭୁ । ବାହୁଡା ଯାତ୍ରାକୁ ଦୃଷ୍ଟିରେ ରଖି ଅଧିକା ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।ଗତକାଲି  ଗର୍ଭଗୃହ ଦର୍ଶନ ବନ୍ଦ ହୋଇଥିବା ବେଳେ ଆଜି ସଅଳ ହୋଇଛି ନୀତି ।ରାତ୍ର ୩ଟା୨୦ ରୁ ଦ୍ୱାରଫିଟା, ୪ଟାରେ ମଙ୍ଗଳ ଆଳତୀ, ୫ ଟା ସୁଦ୍ଧା ରୋଷହୋମ, ୬ଟା୫୫ ସୁଦ୍ଧା ଗୋପାଳ ବଲ୍ଲଭ ସକାଳ ୯ଟା୨୦ ସୁଦ୍ଧା ପ୍ରଥମ ଭୋଗମଣ୍ଡପ, ୨ଟା ୨୦ ସୁଦ୍ଧା ଦ୍ଵିତୀୟ ଭୋଗମଣ୍ଡପ ଓ ୪ଟାରେ ସନ୍ଧ୍ୟା ଧୂପ ସରିଛି ।

ଆଜି ସନ୍ଧ୍ୟା ଦର୍ଶନ ବନ୍ଦ ପରେ ଆରମ୍ଭ ହୋଇଛି ବାହୁଡା ନୀତି ।କୋଠ ସୁଆଁସିଆ ମାନେ ସିଂହାସନକୁ ଚାରମାଳ ବାନ୍ଧିବା ଆରମ୍ଭ କରିଛନ୍ତି । ପରେ ଅନ୍ୟ ନୀତି ବଢିବା ସହ ଶ୍ରୀମୁଖ ଖଣ୍ଡୁଆ  ହୋଇ ବଡ଼ସିଂହାର ବେଶରେ ପହୁଡ଼ ହେବେ ତିନିଠାକୁର ।

ପରମ୍ପରା ଅନୁଯାୟୀ, ଆସନ୍ତାକାଲି ମାଉସୀମା ହାତରୁ ପୋଡ଼ପିଠା ଖାଇ ବାହୁଡିବେ କଳାଠାକୁର । ସେଥିପାଇଁ ବଳଗଣ୍ଡି ମାଉସୀମା ମନ୍ଦିର ତରଫରୁ ସରିଛି ପ୍ରସ୍ତୁତି ।

ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ନୀତି ଶୃଙ୍ଖଳିତ କରିବାକୁ ଦର୍ଶନ କାଟଛାଟ କରାଯାଇଥିବା  କହିଛନ୍ତି ବରିଷ୍ଠ ସେଵାୟତ । ସେ କହିଛନ୍ତି, ସିଂହାସନକୁ ଚାରମାଳ ବାନ୍ଧିବାକୁ କୋଠ ସୁଆସିଆଙ୍କୁ ପ୍ରାୟ ୯ ଘଣ୍ଟା ଲାଗେ । ତା ସହ ଅନ୍ୟାନ୍ୟ ନୀତି ବଢେ  । ତେଣୁ ଦର୍ଶନକୁ ଆଗୁଆ ବନ୍ଦ ରଖିଲେ ହିଁ ବାହୁଡା ଯାତ୍ରା ଶୃଙ୍ଖଳିତ ହେବ କହିଛନ୍ତି ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ।

ଆସନ୍ତାକାଲି ବାହୁଡାଯାତ୍ରାରେ ଭୋର ୪ ଟାରେ ମଙ୍ଗଳ ଆଳତି, ଭୋର ୪.୧୫ରେ ମଇଲମ, ୪.୩୦ରେ ତଡ଼ପଲାଗି,‌ ରୋଷହୋମ, ୫ଟାରେ ଅବକାଶ, ୫.୧୫ରେ ସୂର୍ଯ୍ୟପୂଜା, ୫.୩୦ରେ ଦ୍ଵାରପାଳ ପୂଜା, ବେଶ ଶେଷ ହୋଇ ସକାଳ ୫.୪୫ରୁ୬.୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟାରୁ ୧୧.୩୦ ସେନାପଟା ଲାଗି, ୧୧.୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ ୧ଟାରୁ ୨.୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨.୩୦ରୁ ୩.୩୦ ଛେରାପହଁରା, ଅପରାହ୍ନ ୩ ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ୪ ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି।