Onn 3

ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନାକୁ ୭ବର୍ଷ ପୂରିବ, ଆଲୋକ ଖୋଜୁଛି ଆଲୋକୀକରଣ ଯୋଜନା

State

ଆଗରପଡ଼ା :୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ସକାଶେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ସାଂସଦଙ୍କ ପୋଷ୍ୟଗ୍ରାମ ଗ୍ରହଣ ଯୋଜନା । ଦେଶର ସାଂସଦଙ୍କୁ ପର୍ଯ୍ୟୟ କ୍ରମେ ନିଜ ଅଂଚଳରେ ଥିବା ଗୋଟିଏ ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ପ୍ରାଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଆଧାରକରି ତତ୍କାଳୀନ ଭଦ୍ରକ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ । ଏବଂ ଗ୍ରାମର ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ନିଜ ହାତ ପାଣ୍ଠିରୁ ଅର୍ଥ ମଧ୍ୟ ମଂଜୁର କରିଥିଲେ । ଉକ୍ତ ଯୋଜନା ମଧ୍ୟରୁ ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା ଅନ୍ୟତମ । ଗତ ୨୦୧୬ ମସିହା ଡ଼ିସେମ୍ବର ମାସ ୨୧ ତାରିଖରେ ସାଂସଦଙ୍କ ହାତ ପାଣ୍ଠି ଅର୍ଥରେ ଲୋକାର୍ପିତ ହୋଇଥିଲା ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫୩ ଗୋଟି ଆଲୋକ ସ୍ତମ୍ଭ ଲୋକାର୍ପଣ କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ଯୋଜନାକୁ ଆଜି ୭ବର୍ଷ ପୂରିବ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଧିରେ ଧିରେ ଏହି ଆଲୋକ ସ୍ତମ୍ଭରୁ ହାତ ଗଣତି କିଛି ସ୍ତମ୍ଭକୁ ଛାଡ଼ି ଦେଲେ ଆଉ ସବୁ ସ୍ତମ୍ଭ ଅକାମି ହୋଇ ପଡ଼ିଥିଲା ।

ଏବଂ ଅନ୍ଧାରରେ ବୁଡ଼ି ରହିଥିବା ସାଂସଦଙ୍କ ପୋଷ୍ୟଗ୍ରାମ ପୁରୁଷଣ୍ଢ ଆଲୋକ ଖୋଜିବାରେ ଲାଗିଥିବାବେଳେ ସ୍ଥାନୀୟ ବିଧାୟକଙ୍କ ପ୍ରଚେଷ୍ଟାରେ ନିଜସ୍ୱ ପାଣ୍ଠିରୁ ୨୦୨୧-୨୦୨୨ ଆର୍ôଥକ ବର୍ଷରେ ମହତାବ ଛକ ଠାରୁ କୁପାରୀ ରାସ୍ତା ପର୍ଯ୍ୟନ୍ତ ୬ଲକ୍ଷ,ସିଟି ସ୍କୁଲ ଠାରୁ କେସିଭିଏମ ହାଇସ୍କୁଲ ପର୍ଯ୍ୟନ୍ତ ସାଢେ ୬ଲକ୍ଷ ଓ କେସିଭିଏମ ହାଇସ୍କୁଲ ଠାରୁ କୁପାରୀ ଛକ ପର୍ଯ୍ୟନ୍ତ ସାଢେ ୬ ଲକ୍ଷଟଙ୍କା ଏହିପରି ୧୯ଲକ୍ଷ ଟଙ୍କା ଖର୍ଚ୍ଚରେ ଆଲୋକୀକରଣର ବ୍ୟବସ୍ଥା କରାଯାଇଥିଲା । ଏବଂ ଗତ ଜାନୁଆରୀ ମାସ ୧୭ ତାରିଖରେ ଏହାର ଶୁଭାରମ୍ଭ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ହୋଇଥିଲା । ଉକ୍ତ ବ୍ୟବସ୍ଥାକୁ ୧ବର୍ଷ ପୂରିବାକୁ ବସିଥିବା ବେଳେ ବହୁ ସ୍ଥାନରେ ଏହାର ବ୍ୟବସ୍ଥା କରାଯାଇନଥିବା ବେଳେ । ଅନେକ ସ୍ଥାନରେ ଲାଗିଥିବା ଆଲୋକ ସ୍ତମ୍ଭ ଅକାମୀ ହେବାକୁ ବସିଲାଣି । ତେଣୁ ସ୍ୱର୍ଗତ ସାଂସଦଙ୍କ ପାଣ୍ଠିରୁ ୯୦ଲକ୍ଷ ବ୍ୟୟ ଅଟକଳରେ ଲୋକାର୍ପିତ ଆଲୋକ ସ୍ତମ୍ଭ ଓ ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା ସଂପୂର୍ଣ୍ଣ ରୂପେ ଫେଲ ମାରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅଣଦେଖାରୁ ବିଧାୟକଙ୍କ ପାଣ୍ଠିରୁ ୧୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଲୋକୀକରଣ ବ୍ୟବସ୍ଥାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଆଲୋକୀକରଣ ଯୋଜନାକୁ ପ୍ରହସନରେ ପରିଣତ ନକରି ବିଭାଗୀୟ ଅଧିକାରୀ ଏହାର ସଫଳ ରୂପାୟନ ପ୍ରତି ଚେଷ୍ଟିତ ହେବାକୁ ପଂଚାୟତବାସୀଙ୍କ ସମେତ ବିଭିନ୍ନ ମହଲରୁ ଦାବି ହେଉଛି ।