Onn 3

ମୋତେ ହିନ୍ଦୁ ପିଲାର ମରଶରୀର ଦିଆଯାଇଛି ‌ବୋଲି ଅଭିଯୋଗ ଆଣିଲେ ମୁସ୍‌ଲମାନ ମାଆ, ଅଭିଯୋଗକୁ ଖଣ୍ଡନ କଲେ ଆଡିସିନାଲ ସୁପରିଟେନଡେଣ୍ଟ

State

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ମୃତକମାନଙ୍କୁ ଏମ୍ସରେ ରଖାଯାଇଥିବା ବେଳେ ଏହାକୁ ଚିହ୍ନଟ କରିବା ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏ ନେଇ କୋଲକାତାର ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ସେ ଗୋଟାଏ ମୃତଦେହକୁ ତାଙ୍କ ପୁଅର ମୃତଦେହ ବୋଲି କହିଥିବା ବେଳେ ତାଙ୍କୁ ଅନ୍ୟ ଜଣଙ୍କ ମରଶରୀର ଦିଆଯାଉଛି।
ପରିବାର ଲୋକ ଚିହ୍ନଟ କରୁଛନ୍ତି ଗୋଟେ ହେଲେ ତାଙ୍କୁ ଆଉ ଗୋଟିଏ ମୃତଦେହ ଦେଖାଯାଉଛି। ଏମିତି ଅଭିଯୋଗ କରିଛନ୍ତି କଲିକତାରୁ ଆସିଥିବା ସବିଲା ମୂଲା। ଦୁର୍ଘଟଣାରେ ବଡ଼ ପୁଅ ସରିଫୁଲ୍ ଶେଖଙ୍କୁ ହରାଇଛନ୍ତି ସବିଲା। ଥାନାରୁ ଖବର ପାଇବା ପରେ ଏମ୍ସରେ ପହଞ୍ଚିଛନ୍ତି। ଫଟୋ ଦେଖି ପୁଅକୁ ଚିହ୍ନଟ କରିଛନ୍ତି। ହେଲେ କର୍ତ୍ତୃପକ୍ଷ ଆଉ ଗୋଟେ ମୃତଦେହ ଦେଖାଉଛନ୍ତି। ସେ ମୁସଲିମ୍ ହୋଇଥିବା ବେଳେ ତାଙ୍କୁ ଜଣେ ହିନ୍ଦୁଙ୍କ ମୃତଦେହ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ପୁଅ ମୃତଦେହ ତାଙ୍କୁ ମିଳିବ କି ନାହିଁ ଏ ନେଇ ଆଶଙ୍କାରେ ଅଛନ୍ତି ମା ସବିଲା। ଏବେ ଡିଏନଏ ନମୁନା ନେଇ ୭ ଦିନ ଅପେକ୍ଷା କରିବାକୁ ତାଙ୍କୁ କୁହାଯାଇଥିବା ସେ କହିଛନ୍ତି।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏମ୍ସର ଆଡିସିନାଲ ସୁପରିଟେନଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ। ସେ କହିଛନ୍ତି, ‘ଏମ୍ସ ପକ୍ଷରୁ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିବାରେ କୌଣସି ପ୍ରକାର ତ୍ରୁଟି ହୋଇନାହିଁ। ଯେହେତୁ ମୃତଦେହକୁ ଏମ୍ସରେ ସଂରକ୍ଷିତ କରି ରଖାଯାଇଛି। ତେଣୁ ବାହାନଗା ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ମରଶରୀର ନେବା ପାଇଁ ଏମ୍ସକୁ ବହୁ ଲୋକ ଆସୁଛନ୍ତି। ୧୬୨ ମୃତ ଦେହ ଏମ୍ସ ପକ୍ଷରୁ ରିସିଭ କରାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ଏମ୍ସ ପକ୍ଷରୁ ୮୦ ଟି ମୃତଦେହ ହସ୍ତାନ୍ତର କରଯାଇଛି। ସେପଟେ ଡିଏନଏ ନମୁନା ସଂଗ୍ରହ କରଯାଉଛି। ସେଇ ଆଧାରରେ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ସାଧାରଣ କ୍ଷେତ୍ରରେ ଚାରିରୁ ପାଞ୍ଚ ଦିନ ଭିତରେ ଡିଏନଏ ରିପୋର୍ଟ ଆସେ। ବାହାନଗା ରେଳ ଦୁର୍ଘଟଣା ଏକ ମାସ କାଜୁଆଲିଟି। ତେଣୁ କିଛି ଦିନ ଅପେକ୍ଷା କରିବାକୁ ପଡିବ।’