Onn 3

ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ, ବିନା ସୂଚନାରେ ପ୍ରକଳ୍ପ ନିର୍ମାଣ

State

ଆଗରପଡ଼ା : ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ଯୋଗାଣ ବିଭାଗ ପକ୍ଷରୁ ବନ୍ତ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯେପରିକି କାଦବରାଙ୍ଗ ପଂଚାୟତର କାଦବରାଙ୍ଗ ଠାରେ ନିର୍ମାଣାଧିନ ପ୍ରକଳ୍ପ ସ୍ଥାନରେ ଫଳକ ନିର୍ମାଣ ହୋଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଏଥିରେ କୌଣସି ସୂଚନା ଲିପିବଦ୍ଧ ହୋଇପାରି ନାହିଁ । ସରକାର ସୂଚନା ଫଳକ ନିର୍ମାଣ ଓ ସୂଚନା ଲେଖିବା ବାଧ୍ୟତାମୂଳକ କରିଥିବା ଓ ସର୍ବସାଧାରଣରେ ସରକାର କେଉଁ ବିଭାଗରୁ ଅର୍ଥ ପ୍ରଦାନ କରିଛନ୍ତି,କେତେ ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି ।

କାହା ନାମରେ କାର୍ଯ୍ୟଦେଶ ରହିଛି,କେଉଁ ଅଧିକାରୀ ତଦାରଖ କରୁଛନ୍ତି ଏବଂ କାର୍ଯ୍ୟାଦେଶର ଆରମ୍ଭ ଆଦି ସଂପର୍କରେ ସୂଚନା ଫଳକରେ ଲିପିବଦ୍ଧ ହେବାର ନିୟମ ରହିଥିବା ବେଳେ ବିଭାଗ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରି ଉନ୍ନୟନ କାର୍ଯ୍ୟ କରି ଚାଲିଛନ୍ତି । ତେଣୁ ସର୍ବସାଧାରଣରେ ସୂଚନା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟସ୍ଥଳୀ ନିକଟରେ ସୂଚନା ଫଳକ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି ।