Onn 3

ଯୋଜନାର ସଫଳ ରୁପାୟନକୁ ନେଇ ପ୍ରଶ୍ନବାଚୀ, ଅଳିଆ ଗଦାରେ ଶୋଭା ପାଉଛି ଅଳିଆ କୁଣ୍ଡ

State

ଆଗରପଡ଼ା :ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ବର୍ତ୍ତମାନ ପଂଚାୟତ ସମିତି ପକ୍ଷରୁ ଅଳିଆ କୁଣ୍ଡ ପ୍ରଦାନ କରାଯାଉଛି । ଯେଉଁସବୁ ପଂଚାୟତରେ ଅଳିଆ କୁଣ୍ଡ ପ୍ରଦାନ କରାଯାଇଛି ଉକ୍ତ ଅଳିଆ କୁଣ୍ଡକୁ ଦେଖିଲେ କୁଣ୍ଡରେ ଅଳିଆ ରହିବା ପରିବର୍ତ୍ତେ ଅଳିଆ ଗଦାରେ କୁଣ୍ଡ ରହୁଥିବା ଦେଖିବାକୁ ମିଳୁଛି । କିଛି ପଂଚାୟତରେ ଏହାର ଅପବ୍ୟବହାର ହେଉଥିବା ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଏହାର ସୁଫଳ ମିଳିପାରୁନଥିବା ପରିଲକ୍ଷିତ ହେଉଛି । ତେଣୁ ସରକାରଙ୍କ ଅର୍ଥକୁ ବିଭାଗୀୟ ଅଧିକାରୀ ମାନେ କିପରି ଅପବ୍ୟବହାର କରୁଛନ୍ତି ଉକ୍ତ ଯୋଜନାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ବିଭିନ୍ନ ପଂଚାୟତର ବିଭିନ୍ନ ୱାର୍ଡ଼ରେ ବସବାସ କରୁଥିବା ବାସିନ୍ଦାଙ୍କ ଘରକୁ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଅଳିଆ କୁଣ୍ଡରେ ଅଳିଆ ରହିବା ପରିବର୍ତ୍ତେ ଜାଳେଣି ଓ ବାଲି ରହୁଥିବା ଦେଖିବାକୁ ମିଳୁଛି । ଆଉକିଛି କୁଣ୍ଡ ଲୁଗା ଶୁଖାଇବାରେ ବ୍ୟବହୃତ ହେଉଛି । ବହୁଯାଗାରେ ସୂଚନା ବିହିନ କୁଣ୍ଡ ଥୁଆ ହୋଇଛି ।

ଏହିପରି ଭାବରେ ପ୍ରକୃତ ଲକ୍ଷ ଠାରୁ ଏହା ବହୁ ଦୂରରେ ଥିବାର ଜଣାପଡ଼ିଛି । ଏବଂ ଆରମ୍ଭରୁ ଉକ୍ତ ଯୋଜନା ଝୁଣ୍ଟିବା ଆରମ୍ଭ କରିଥିବାରୁ ଏହାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁଣ୍ଡ ନିର୍ମାଣରେ ୩ଗୋଟି ନନ୍ଦ ବ୍ୟବହାର ହୋଇଥିବା ବେଳେ ଉକ୍ତ କୁଣ୍ଡକୁ ଯୋଡ଼ି ତା ଉପରେ ରଙ୍ଗ ମାରି ସୂଚନା ଲେଖା ଯାଇଛି । ଯେଉଁ ଅର୍ଥ ଏଥି ନିମନ୍ତେ ବ୍ୟବହାର ହୋଇଛି ତାହାର ବ୍ୟବହାର ପ୍ରକୃତ ପକ୍ଷେ ହେଉଛିକି ନାହିଁ ସେଥିପ୍ରତି କେହି ଦୃଷ୍ଟି ନଦେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ବିଭିନ୍ନ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଉକ୍ତ ସମସ୍ୟା ବିଷୟରେ ଯୋଗାଯୋଗ କରିବାରୁ ସେମାନେ ଘଟଣା ସ୍ଥଳକୁ ଯାଇ ଏହାର ସମୀକ୍ଷା କରିବେ ବୋଲି ସୂଚନା ଦେଉଥିଲେ ସୁଦ୍ଧା ପ୍ରକୃତ ପକ୍ଷେ ଘଟଣାର ପୁଂଖାନୁପୁଂଖ ତଦନ୍ତ କରୁନଥିବା ଜଣାପଡ଼ିଛି । ବିଭାଗୀୟ ଅଧିକାରୀ ପ୍ରତ୍ୟେକ ଉନ୍ନତି ମୂଳକ କାର୍ଯ୍ୟ ସଂପୂର୍ଣ୍ଣ ହେବାପରେ ତାହାର ତଦାରଖ କରିବା ସହ ସରକାରଙ୍କ ପ୍ରଦତ୍ତ ଯୋଜନାର ସଫଳ ରୂପାୟନ ପାଇଁ ଚେଷ୍ଟିତ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।