Onn 3

ଗ୍ରାମାଞ୍ଚଳକୁ ଗହମ ବନ୍ଦ, ସହରରେ ମିଳୁଛି ଭାରତ ଅଟା: ବ୍ଲକ ଅଞ୍ଚଳକ ରିହାତି ମୂଲ୍ୟ ଅଟା ଯୋଗାଣ ଦାବି

State

ନିଶ୍ଚିନ୍ତକୋଇଲି :ରାଷ୍ଟ୍ରୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ଗ୍ରାମାଞ୍ଚଳର ଗରିବ ଶ୍ରେଣୀର ଲୋକମାନଙ୍କୁ ସେମାନଙ୍କର ଆବଶ୍ୟକ ମୁତାବକ ଟଙ୍କିଖିଆ ଚାଉଳ ଓ ଗହମ ଯୋଗାଇ ଦିଆଯାଉଥିଲା । ନିଶ୍ଚିନ୍ତକୋଇଲି ବ୍ଲକକୁ ପ୍ରତ୍ୟେକ ମାସରେ ରେସନ କାର୍ଡ଼ଧାରୀ ମାନଙ୍କ ନିମନ୍ତେ ୨୬ଶହ କ୍ୱିଣ୍ଟାଲ ଗହମ ଆସି ବଣ୍ଟନ କରାଯାଉଥିଲା । ଗତ ଏପ୍ରିଲ ୨୦୨୨ ମସିହା ଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗହମ ଯୋଗାଣ ବନ୍ଦ କରାଯିବା ପରେ ଖୋଲା ବଜାରରେ ଅଟା କିଲୋ ପ୍ରତି ମୂଲ୍ୟ ବଢି ୪୦ଟଙ୍କା ରୁ ଅଧିକ ହୋଇଗଲା । ଯାହାଦ୍ୱାରା ଗରିବ ଲୋକମାନେ ଏତେ ଦାମ୍ ଦେଇ ଅଟା କିଣି ଖାଇବା ସମ୍ଭବପର ହେଉନଥିବା ବହୁ କାର୍ଡ଼ଧାରୀ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଘରେ ଘରେ ମଧୁମେହ ରୋଗୀ ରହିଥିବେଳେ ସେମାନଙ୍କ ପାଇଁ ରୁଟି ଖାଇବା ଜରୁରୀ ହୋଇପଡ଼ିଛି । ଅଟାର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଗରିବ ପରିବାରରେ ରୁଟି ଖାଇବା ରେ ବହୁ ସମସ୍ୟା ଉପୁଜୁଛି । ଅପରପକ୍ଷରେ ଦୀପାବଳୀ ଅବସରରେ କେନ୍ଦ୍ରର ମୋଦୀ ସରକାର ରିହାତି ଦରରେ ଲୋକମାନଙ୍କୁ ଭାରତ ଅଟା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ ଙ୍କ ଘୋଷଣା ଅନୁସାରେ କେନ୍ଦ୍ର ଯୋଗାଣମନ୍ତ୍ରୀ ପିୟୁଷ ଗୋଏଲ ଉପଭୋକ୍ତାଙ୍କ ନିକଟରେ ରିହାତି ମୂଲ୍ୟର ଅଟା ପହଞ୍ଚାଇବା ପାଇଁ ଭାରତ ଅଟା ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରରେ ଭାରତୀୟ ରାଷ୍ଟ୍ରୀୟ କୃଷି ସରକାରୀ ବିପଣନ ସଂଘ (ନାଫେଡ଼) ମାଧ୍ୟମରେ କିଲୋପ୍ରତି ଟ୨୭.୫୦ଙ୍କା ରେ ଭାରତ ଅଟା ଯୋଗାଇ ଦେଉଛନ୍ତି । ଏକ ଭ୍ରାମ୍ୟମାଣ ମାଲ ବୋଝେଇ ଗାଡ଼ିରେ ୫କିଲୋ ଗ୍ରାମ୍ ଅଟା ପ୍ୟାକେଟର ମୂଲ୍ୟ ୧୪୦ ଟଙ୍କା ରଖାଯାଇଥିଲା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଲେଖା ପ୍ୟାକେଟ୍ ଦିଆଯାଉଛି । ଏହାଛଡ଼ା ଜାତୀୟ ସରକାରୀ ଉପଭୋକ୍ତା ସଂଘର ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ଭାରତୀୟ ଅଟାକୁ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଦିଆଯାଉଥିବା ଗହମକୁ ବନ୍ଦ କରି ସହରାଞ୍ଚଳର ଲୋକମାନଙ୍କୁ ରିହାତି ମୂଲ୍ୟରେ ଅଟା ଦିଆଯାଉଥିବା ପଛରେ ସରକାରଙ୍କର କି ସ୍ୱାର୍ଥ ରହିଛି ସେ ନେଇ ପ୍ରଶ୍ନ ଉଠିଛି । ଭାରତ ଅଟା ଯୋଜନାରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ସାମିଲ କରାନଗଲେ ଆଗାମୀ ନିର୍ବାଚନରେ ବିଜେପି ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଅପରପକ୍ଷରେ ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ କେନ୍ଦ୍ର ଖୋଲି ଭାରତ ଅଟା ଯୋଜନାରେ ଗରିବ ଉପଭୋକ୍ତାମାନଙ୍କୁ ରିହାତି ମୂଲ୍ୟରେ ଅଟା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି । ଏହି ବ୍ଲକ ଅଞ୍ଚଳକୁ ମାସକୁ ୨୬ଶହ କ୍ୱିଣ୍ଟାଲ ଟଙ୍କିଖିଆ ଗହମ ଯୋଗାଇ ଦିଆଯାଉଥିଲାବେଳେ ଅତିକମରେ ୧୫ଶହ କ୍ୱିଣ୍ଟାଲ ରିହାତି ମୂଲ୍ୟରେ ଅଟା ଯୋଗାଇ ଦିଆଗରେ ଗରିବଗୁରୁବା ପରିବାର ରୁଟି ଖାଇବାକୁ ସକ୍ଷମ ହୋଇପାରନ୍ତେ । ଉକ୍ତ ରିହାତି ମୂଲ୍ୟ ଅଟା ପ୍ରଦାନ ସଂକ୍ରାନ୍ତରେ ବ୍ଲକ ଯୋଗାଣ ବିଭାଗ କୁ ପଚାରିବାରୁ ସେମାନଙ୍କ ପାଖରେ ଭାରତ ଅଟା ଯୋଜନା ସଂକ୍ରାନ୍ତ କୌଣସି ଖବର ନଥିବା ପ୍ରକାଶ କରିଛନ୍ତି ।