Onn 3

କାଗଜକଲମରେ ସୀମିତ ବିଟିପୁର ଉପଡ଼ାକଘର, ବିଭ୍ରାନ୍ତି କରିଛି ନଥିପତ୍ର, ନିର୍ମାଣ ହୋଇପାରୁନି ସ୍ଥାୟୀ ଗୃହ

State

ଆଗରପଡ଼ା:ଆଗରପଡ଼ା ସ୍ଥିତ ବିଟିପୁର ଉପଡ଼ାକଘରର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ବନ୍ତ ତହସିଲ କାର୍ଯ୍ୟାଳୟ ତରଫରୁ ମିଳିଥିବା ଜାଗାକୁ ନେଇ ବିଭ୍ରାନ୍ତକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାର ସ୍ଥାୟୀ ଗୃହ ନିର୍ମାଣ ପ୍ରସଙ୍ଗ କାଗଜ କଲମରେ ସୀମିତ ରହିଯିବାର ଜଣାପଡ଼ିଛି । ସ୍ଥାୟୀ ଗୃହ ନିର୍ମାଣ ପ୍ରସଙ୍ଗକୁ ନେଇ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ସୂଚନା ଅନୁଯାୟୀ;୨୦୧୮ ମସିହାରେ ବନ୍ତ ତହସିଲ କାର୍ଯ୍ୟାଳୟ ତରଫରୁ ବିଟିପୁର ମୌଜାର ଖତିଆନ ନଂ ୨୬୮/୧ ଯାହାକି ଆବାଦ ଯୋଗ୍ୟ ଅନାବାଦି ଜାଗାର ପ୍ଲଟ ନଂ ୭୦୨/୯୪୨ ଓ ୭୦୪/୯୪୩କୁ ଘରବାରି କରି ବିଟିପୁର ଉପଡ଼ାକଘର ପାଇଁ ସଂରକ୍ଷିତ ବୋଲି ଦର୍ଶାଯାଇ ତହସିଲଦାରଙ୍କ ଅନୁମେ।।ଦନ ସହ ଡ଼ାକବିଭାଗକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଉକ୍ତ ସ୍ଥାନ ଉପରେ ସ୍ଥାୟୀ ଗୃହ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ତହସିଲ ସହ ଯୋଗାଯୋଗ କରିବାରୁ ଉକ୍ତ ସ୍ଥାନ ଉପଡ଼ାକଘର ପାଇଁ ଉଦ୍ଦିଷ୍ଟ ନଥିବା ସେମାନେ ଜାଣିବାକୁ ପାଇଥିଲେ । ଯାହାକି ଏକ ବିଭ୍ରାନ୍ତକର ପରିସ୍ଥିତି ସୃଷ୍ଟି କରିଛି । ବର୍ତ୍ତମାନ ଅନଲାଇନରେ ସମସ୍ତ କାର୍ଯ୍ୟ ସମ୍ପାଦନା ହେଉଥିବା ବେଳେ ସରକାରୀ ସାଇଟ୍‌ରେ ୨୦୧୮ ମସିହାରେ ଡ଼ାକବିଭାଗକୁ ପ୍ରଦାନ କରାଯାଇଥିବା ତହସିଲଦାରଙ୍କ ଦସ୍ତଖତ ଥିବା ତଥ୍ୟର କୌଣସି ସଠିକ୍ ପ୍ରମାଣପତ୍ର ମିଳିପାରୁନଥିବାରୁ ଏହା ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏବଂ କେଉଁ ପରିସ୍ଥିତିରେ ଏହିପରି ସମସ୍ୟା ଉପୁଜିଛି ତାହାର ତଦନ୍ତ କରିବା ଜରୁରୀ ହୋଇପଡ଼ିଛି । ଏହି ପୁରାତନ ଡ଼ାକଘରଟି ଆଜି ଯାଏ ଭଡ଼ା ଗୃହରେ ଚାଲିଛି । ନିଜସ୍ୱ ଗୃହ ନଥିବାରୁ ଉକ୍ତ ଡ଼ାକଘର ବାରମ୍ବାର ବିଭିନ୍ନ ଭଡ଼ାଗୃହକୁ ସ୍ଥାନାନ୍ତର ହେଉଛି । ଦୋକାନ ଗୃହ ଉଦ୍ଦେଶ୍ୟରେ ନିର୍ମିତ ଭଡ଼ାଗୃହରେ ବର୍ତ୍ତମାନ ଡ଼ାକଘର ଚାଲିଛି ।

ଉକ୍ତ ସମସ୍ୟାକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ବର୍ଷ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଉକ୍ତ ଉପଡ଼ାକଘରର ଏକ ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ତାଙ୍କ ଚିଠି ନଂ ୭୧୪/୨୦୨୨ରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅବଗତ କରାଇଥିବା ଜଣାପଡ଼ିଥିଲା । ଇତି ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଏବଂ ପୂର୍ବ ସମସ୍ୟାକୁ ନେଇ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କ ସୂଚନାକୁ ବିଚାରକୁ ନେଲେ ଉକ୍ତ ପ୍ରସଙ୍ଗ କେବଳ କାଗଜ କଲମରେ ସୀମିତ ରହିଯିବା ପରି ଜଣାପଡ଼ୁଛି । ପ୍ରତିମାସ ଏହି ଡ଼ାକଘରେ ପ୍ରାୟ ୭୦ରୁ ୮୦ଲକ୍ଷ ଟଙ୍କାର ଦେଣନେଣ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ବିଭାଗ ପକ୍ଷରୁ ସେପରି କୌଣସି କିଛି ଉନ୍ନତ ଆଧୁନିକଧରଣର ସରଞ୍ଜାମମାନ ଯୋଗାଯାଇପାରିନାହିଁ ବୋଲି ଅଭିଯୋଗ ହେଉଛି । ସ୍ଥାନୀୟ ଅଂଚଳରେ ଅନ୍ୟତମ ପ୍ରମୁଖ ବିଦ୍ୟୁତ୍ କାଟ ସମସ୍ୟା ଯୋଗୁଁ ଡ଼ାକଘର ଉପରେ ଏହାର ପ୍ରଭାବ ପକାଉଛି । ବର୍ତ୍ତମାନ ଇଣ୍ଟରନେଟ୍ ମାଧ୍ୟମରେ ସବୁ କାର୍ଯ୍ୟ ସଂପାଦନ ହେଉଥିବାରୁ ଏଠାରେ ଗ୍ରାହକ ମାନେ ଠିକ ଭାବେ ସେବା ପାଉନଥିବାର ଅଭିଯୋଗ ମାନ ହେଉଛି । ଏହି ଉପଡ଼ାକଘର ଉପରେ ପ୍ରାୟ ୭ହଜାର ଗ୍ରାହକ ନିର୍ଭର କରିଆସୁଛନ୍ତି । କିନ୍ତୁ ଗ୍ରାହକମାନେ ଠିକ୍‌ଭାବେ ସେବା ପାଇପାରୁନଥିବାରୁ ଦେଶର ସର୍ବ ବୃହତ୍ତ ଯୋଗାଯୋଗ ବ୍ୟବସ୍ଥା ଭାବେ ପରିଗଣିତ ଡ଼ାକବିଭାଗ ଉପରୁ ଲୋକମାନଙ୍କର କ୍ରମଶଃ ଆସ୍ଥା ହ୍ରାସ ପାଇବାରେ ଲାଗିଛି । ସମଗ୍ର ବନ୍ତ ବ୍ଲକରେ ବନ୍ତ, ବସନ୍ତିଆ ଓ ଆଗରପଡ଼ାରେ ଉପଡ଼ାକଘର ରହିଛି । କେବଳ ବନ୍ତକୁ ଛାଡ଼ି ଦେଲେ ଅନ୍ୟ ଦୁଇଟି ଉପଡ଼ାକଘର ଭଡ଼ାଘରେ ଚାଲିଛି । ବର୍ତ୍ତମାନ ଆଗରପଡ଼ା ଉପଡ଼ାକଘରେ କୋରବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହୋଇଥିବାବେଳେ ଏହା ଅଧିନରେ ୮ଟି ଶାଖା ଡ଼ାକଘର ରହିଥିବା ସ୍ଥଳେ ବିଭିନ୍ନ ସମସ୍ୟା ଯୋଗୁ ଦିନକୁ ଦିନ ଗ୍ରାହକମାନଙ୍କ ଅସନ୍ତୋଷ ଭାବ ବଢିବାରେ ଲାଗିଛି । ତେଣୁ ଉକ୍ତ ଉପଡ଼ାକଘରର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ବିହିତ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।