Onn 3

ଜଣେ କର୍ମଚାରୀରେ କାର୍ଯ୍ୟାଳୟ ଚାଲିଛି, ଖବର ପ୍ରକାଶର ୩ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

State

ଆଗରପଡ଼ା :ଗତ ସେପ୍ଟେମ୍ବର ମାସ ୨୧ ତାରିଖରେ “କୃଷି କାର୍ଯ୍ୟାଳୟରେ ଅବ୍ୟବସ୍ଥା;ଜଣେ କର୍ମଚାରୀରେ କାର୍ଯ୍ୟାଳୟ ଚାଲିଛି ”ଶୀର୍ଷକ ଖବର ଦୈନିକ ‘ଓଏନଏନ’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶକୁ ଇତି ମଧ୍ୟରେ ୪ ମାସ ବିତିବାକୁ ବସିଥିଲେ ସୁଦ୍ଧା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା କୃଷି କାର୍ଯ୍ୟାଳୟରେ । ଆଗରପଡ଼ାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ତେଣୁ ଚାଷୀଙ୍କ ବୃହତ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ ଏଠାରେ ଏକ କୃଷି କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ଓ ଏହାର ଦାଇତ୍ୱ ସହ କୃଷି ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଇତି ମଧ୍ୟରେ ଉକ୍ତ କୃଷି କାର୍ଯ୍ୟାଳୟ ପ୍ରତିଷ୍ଠାକୁ ୫୦ରୁ ଅଧିକ ବର୍ଷ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ଏହା ଚାଷୀଙ୍କ ଯେତିକି ସୁବିଧା ଯୋଗାଇବା କଥା ତାହା ଯୋଗାଇପାରୁନାହିଁ ଅଭିଯୋଗ ହେଉଛି । ଖରିଫ ଋତୁ ଏବଂ ରବି ଋତୁରେ ଉକ୍ତ କାର୍ଯ୍ୟାଳୟରୁ ସମସ୍ତ ପ୍ରକାର ଚାଷ ଉପକରଣ ସାମଗ୍ରୀ ଯେପରିକି ଟ୍ରାକ୍ଟର, ପାୱାର ଟିଲର, ବିଷପକା ମେସିନ ଓ କୃଷି ଯନ୍ତ୍ରପାତି ସମେତ ଧାନ, ମୁଗ, ବିରି, ବାଦାମ, ସୂର୍ଯ୍ୟମୁଖୀ, ସୋରିଷ, ଗହମ ବିହନ ଇତ୍ୟାଦି ସରକାରଙ୍କ ଦ୍ୱାରା ପ୍ରଦତ୍ତ ରିହାତି ମୂଲ୍ୟରେ କ୍ରୟ କରିଥାନ୍ତି । କିନ୍ତୁ କିଛି ବର୍ଷ ହେବ ଉକ୍ତ କାର୍ଯ୍ୟାଳୟଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି ।

ଏହାର ପାରିପାଶ୍ୱିର୍କ ପରିସ୍ଥିତିରେ କୌଣସି ଉନ୍ନତି ହେଉନଥିବାରୁ ନା ସହକାରୀ କୃଷି ଅଧିକାରୀ ନା କର୍ମଚାରୀ କେହିବି ଏଠାକୁ ଆସୁଛନ୍ତି । ଜଣେ ମାତ୍ର କର୍ମଚାରୀ (ଡ଼ାଟା ଏଣ୍ଟ୍ରି ଅପରେଟର)ରେ ଉକ୍ତ କାର୍ଯ୍ୟାଳୟ ଚାଲିଛି । ତେଣୁ ଚାଷୀ ତାର ମୌଳିକ ସୁବିଧା ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇ ବ୍ଲକ କାର୍ଯ୍ୟାଳୟ ଉପରେ ନିର୍ଭର କରୁଛି । ଅଧିକାଂଶ ସମୟରେ ମୌଳିକ ସୁବିଧାରୁ ବଂଚିତ ମଧ୍ୟ ହେଉଛି । ଉକ୍ତ କାର୍ଯ୍ୟାଳୟର ନବକଳେବର ପାଇଁ ବନ୍ତ ବ୍ଲକ ପକ୍ଷରୁ ପ୍ରାୟ ୪୫ ଲକ୍ଷ ଟଙ୍କାର ଯୋଜନା ଅଟକଳ କରାଯାଇ ସ୍ଥାନୀୟ ବିଧାୟକଙ୍କୁ ପ୍ରଦାନ କରାଯାଇ ଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ ତେଣୁ ଚାଷୀଙ୍କ ସେମାନଙ୍କ ମୌଳିକ ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ପ୍ରକାଶକୁ ଇତି ମଧ୍ୟରେ ୪ମାସ ବିତିବାକୁ ବସିଥିଲେ ସୁଦ୍ଧା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ଉପରୋକ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ଦାବି ହେଉଛି ।