Onn 3

ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଯାଏଁ ଖୋଲା ହେଲାଣି ୫୧ କୋଟି ଆକାଉଣ୍ଟ

National & International

 

pmjdy-logo-750x430

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଯାଏଁ କେତେ ଜଣ ହିତାଧିକାରୀ ଅଛନ୍ତି | କେତେ ଆକାଉଣ୍ଟ ଖୋଲାଯାଇଛି ଓ କେତେ ଟଙ୍କା ଜମା ହୋଇଛି | ଏନେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରଡ ସଂସଦକୁ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଅଧୀନରେ ଦେଶରେ ୫୧.୦୪ କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ୯ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୧ କୋଟି ବ୍ୟାଙ୍କ ଆକାଉଣ୍ଟରେ ୨.୦୮ ଟ୍ରିଲିୟନ ଟଙ୍କା (୨ ଲକ୍ଷ କୋଟିରୁ ଅଧିକ) ଜମା କରାଯାଇଛି। ଅର୍ଥମନ୍ତ୍ରୀ ସଂସଦରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଏହି ତଥ୍ୟ ନଭେମ୍ବର ୨୯, ୨୦୨୩ ପର୍ଯ୍ୟନ୍ତ ରହିଛି ଏବଂ ଜନଧନ ଆକାଉଣ୍ଟରେ ୨,୦୮,୮୫୫ କୋଟି ଟଙ୍କା ଜମା କରାଯାଇଛି। ଏହି ଯୋଜନା ଅଧୀନରେ ଯେଉଁମାନଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ନଥିଲା ଓ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରୁନଥିଲେ, ସେମାନଙ୍କୁ ମୌଳିକ ବ୍ୟାଙ୍କ ଆକାଉଣ୍ଟ୍ ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା |

ଏହା ସହିତ ସେମାନେ ସରକାରୀ ଯୋଜନାର ସବସିଡିର ଲାଭ ଉଠାଇ ଦେଶର ଆର୍ଥିକ ଅନ୍ତର୍ଭୂକ୍ତିରେ ଅଂଶଗ୍ରହଣ କରିପାରିବେ ବୋଲି ଲକ୍ଷ୍ୟ ରଖାଯାଇଥିଲା। ରାଷ୍ଟ୍ର ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ନଭେମ୍ବର ୨୨, ୨୦୨୩ ପର୍ଯ୍ୟନ୍ତ ୪.୩ କୋଟି ଜନଧନ ଆକାଉଣ୍ଟରେ ଶୂନ୍ୟ ବାଲାନ୍ସ ଅଛି କାରଣ ଏହି ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାର କୌଣସି ଆବଶ୍ୟକତା ନାହିଁ | ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଖୋଲାଯାଇଥିବା ଏହି ଆକାଉଣ୍ଟଗୁଡିକ ମଧ୍ୟରୁ ୫୫.୮ ପ୍ରତିଶତ ଆକାଉଣ୍ଟ ମହିଳାମାନଙ୍କ ଦ୍ୱାରା ଖୋଲାଯାଇଛି। ନଭେମ୍ବର ୨୯, ୨୦୨୩ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ଜନଧନ ବ୍ୟାଙ୍କ ଆକାଉଣ୍ଟଧାରୀମାନଙ୍କୁ ପ୍ରାୟ ୩୪.୬୭ କୋଟି ଟଙ୍କାର ଡେବିଟ୍ କାର୍ଡ ଦିଆଯାଇଛି |