Onn 3

କତାରରେ ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଭାରତର ଅପିଲ୍, ସୂଚନା ଦେଲା ବୈଦେଶିକ ମନ୍ତ୍ରାଳୟ

National & International

arindam-750x430

ନୂଆଦିଲ୍ଲୀ: କତାରରେ ୮ ଜଣ ପୂର୍ବତନ ଭାରତୀୟ ନାବିକଙ୍କୁ ମୃତ୍ୟୁଦଣ୍ଡାଦେଶ ମାମଲାରେ ଭାରତ ସରକାର କେତେକ ପଦକ୍ଷେପ ନେଇଛନ୍ତି । ଏହି ଦଣ୍ଡାଦେଶ ବିରୋଧରେ ଭାରତ ପକ୍ଷରୁ ଅପିଲ କରାଯାଇଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ଏହି ସମ୍ବେଦନଶୀଳ ମାମଲାରେ ଭାରତ ତରଫରୁ ଏକ ଅପିଲ ଫାଇଲ କରାଯାଇଛି ଏବଂ ଭାରତୀୟ ଅଧିକାରୀମାନେ କତାରର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି।
ଏହି ରାୟ ଗୋପନୀୟ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହାକୁ ଭାରତର ଆଇନଜୀବୀ ଦଳ ସହ ସେୟାର କରାଯାଇଛି। ଏଥିସହିତ ଭାରତ ପକ୍ଷରୁ ଏକ ଆବେଦନ ଦାଖଲ କରିଛି। ଆମେ କାତାର କର୍ତ୍ତୃପକ୍ଷ ଏବଂ ତାଙ୍କ ପରିବାର ସହ ଯୋଗାଯୋଗରେ ଅଛୁ। ବୈଦେଶିକ ମନ୍ତ୍ରୀ ମଧ୍ୟ ସେମାନଙ୍କୁ ଭେଟିଥିଲେ। ନଭେମ୍ବର ୭ରେ ଆମକୁ କାଉନସେଲାର ଆକ୍ସେସ ( ବନ୍ଦୀମାନଙ୍କୁ ଭେଟିବାକୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅନୁମତି) ମିଳିଥିଲା ଏବଂ ଆମେ ସେହି ଆଠ ଜଣ ଭାରତୀୟଙ୍କୁ ଭେଟିଛୁ । ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ, ତେଣୁ ଏହାକୁ ନେଇ ଅଧିକ କଳ୍ପନାଜଳ୍ପନା ନ କରିବାକୁ ସେ ଅନୁରୋଧ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, କତାର କୋର୍ଟ ଯେଉଁ ୮ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି ସେମାନେ ସମସ୍ତେ ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ। ଏହି ୮ ଜଣ ପୂର୍ବତନ ନୌସେନା ଅଧିକାରୀ ଅଗଷ୍ଟ ୨୦୨୨ରୁ କତାର ଜେଲରେ ବନ୍ଦୀ ଅଛନ୍ତି। ତେବେ ସେମାନଙ୍କ ଅପରାଧ କ’ଣ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।