3 2 750x430

ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ପୀୟୁଷ

National & International

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ହେଭିୱେଟ ନେତାଙ୍କୁ ପ୍ରାର୍ଥୀ କରିବାରେ ଲାଗିଛି। ଦଳ ପକ୍ଷରୁ ବହୁ ରାଜ୍ୟସଭା ସଦସ୍ୟଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଯୋଜନା କରାଯାଇଛି। ଦଳର ପ୍ରଥମ ପ୍ରାର୍ଥୀ ତାଲିକାରେ ରାଜୀବ ଚନ୍ଦ୍ରଶେଖରଙ୍କୁ କେରଳରୁ ଟିକେଟ ଦିଆଯାଇଥିଲା। ଏବେ ପୀୟୂଷ ଗୋଏଲଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ସେ ନିଜର ରାଜନୈତିକ ଜୀବନର ୩୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବେ। ପୀୟୂଷଙ୍କୁ ମୁମ୍ବାଇ ନର୍ଥରୁ ପ୍ରାର୍ଥୀ କରାଯାଇଛି। ଏହି ଲୋକସଭା ଆସନରେ ବର୍ତ୍ତମାନ ଦଳର ସାଂସଦ ଥିବା ଗୋପାଳ ସେଟ୍ଟିଙ୍କ ଟିକେଟ କଟାଯାଇଛି।
୧୯୮୯ରୁ ୨୦୦୩ ପର୍ଯ୍ୟନ୍ତ ଏହି ଆସନ ବିଜେପି ଦଖଲରେ ଥିଲା। ତେବେ ୨୦୧୪ରେ ପୁଣିଥିରେ ବିଜେପି ଏହି ଆସନ ନିଜ ଦଖଲକୁ ନେଇଥିଲା। ଏହି ଆସନର ୧୭ ଲକ୍ଷ ଭୋଟର ପୀୟୂଷଙ୍କ ଭାଗ୍ୟର ଫଇସଲା କରିବେ। ପୀୟୁଷ ଲୋକସଭାକୁ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶକ୍ତି ସଂସଦରେ ବୃଦ୍ଧି ପାଇବ ବୋଲି କୁହାଯାଉଛି। ସେ ଲୋକସଭାରେ ମୋଦୀଙ୍କ ସଙ୍କଟମୋଚକ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
୨୦୧୪ ବିଜେପି ସରକାରରେ ପୀୟୂଷ କୋଇଲା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୭ରେ ସୁରେଶ ପ୍ରଭୁଙ୍କ ଇସ୍ତଫା ପରେ ରେଳ ମନ୍ତ୍ରୀ ଭାବେ ସେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୯ରେ ମୋଦୀଙ୍କ ସରକାରରେ ସେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହା ସହିତ ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ନେତା ଭାବେ ନିଯୁକ୍ତ କରାଯାଇଥିଲା।