Onn 3

ପ୍ରାଣୀ ସମ୍ପଦ ସଙ୍କଟରେ ; ନାହାଁନ୍ତି ପ୍ରାଣୀଧନ ନିରୀକ୍ଷକ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ମଣ୍ଡଳ ପ୍ରାଣୀ ଚିକିତ୍ସାଳୟ ଅଧିନରେ ଥିବା ମହମ୍ମଦପୁର ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ରେ ବିଗତ ୬ମାସ ହେବ କେହି ସ୍ଥାୟୀ ନିରୀକ୍ଷକ (ଚିକିତ୍ସକ) ନଥିବା ଅଭିଯୋଗ ହୋଇଛି । ଖଣ୍ଡାୟତ ପଟ୍ଟକିରା ପ୍ରାଣୀଧନ ନିରୀକ୍ଷକ ମନୋଜ ପ୍ରଧାନ ଏହାର ଦାୟିତ୍ୱରେ ରହିଥିବା ବେଳେ ସପ୍ତାହରେ ଗୁରୁବାର ଓ ଶନିବାର ସେଠାକୁ ଯାଉଥିଲେ ମଧ୍ୟ ସଠିକ୍ ଭାବ ପ୍ରାଣୀ ମାନଙ୍କର ଚିକିତ୍ସା କରିପାରୁନଥିବା ଜଣାଯାଇଛି । ତୁରନ୍ତ ସେଠାରେ ଏକ ସ୍ଥାୟୀ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ଦେବା ପାଇଁ ସରପଞ୍ଚ ପ୍ରତିଭା ବେହେରାଙ୍କ ସମେତ ଗୋପାଳକ ମାନେ ଜିଲ୍ଳା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ମହମ୍ମଦପୁର ପ୍ରାଣୀଧନ ଚିକିତ୍ସା କେନ୍ଦ୍ରଟି ମଣିଜଙ୍ଗ ଓ ମହମ୍ମଦପୁର ଦୁଇଗୋଟି ପଞ୍ଚାୟତକୁ ନେଇ ନିର୍ମାଣ କରାଯାଇଥିଲା । ଏହା ପୂର୍ବରୁ ରଘୁନାଥପୁର ବ୍ଲକ ପ୍ରାଣୀ ଚିକିତ୍ସାଳୟ ଅଧିନରେ ଏହା ରହିଥିଲା । ସେତେବେଳେ ମଧ୍ୟ ଏହି ପ୍ରାଣୀ ଚିକିତ୍ସାଳୟ ଉପରେ ଗୁରୁତ୍ୱ ଦିଆଯାଉନଥିବାରୁ ଏହି ଦୁଇ ପଞ୍ଚାୟତର ଗୋପାଳକ ମାନେ ସେମାନଙ୍କର ଗାଈ,ଗୋରୁ,ଛେଳି,ମେଣ୍ଢା, କୁକୁଡ଼ା,ମଇଁଷି ଆଦି ପ୍ରାଣୀମାନଙ୍କୁ ଚିକିତ୍ସା କରାଇବା ପାଇଁ ବିଭିନ୍ନ ସମସ୍ୟାରେ ପଡ଼ୁଥିବାବେଳେ ବହୁ ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲେ ।

କାଳକ୍ରମେ ବହୁ ଅଭିଯୋଗ ପରେ ଉକ୍ତ ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅଧିନକୁ ଗତ ଏପ୍ରିଲ ମାସ ଠାରୁ ଆସିଛି । ହେଲେ ଏଠାରେ ସ୍ଥାୟୀ ପ୍ରାଣୀଧନ ନିରୀକ୍ଷକ ନଥିବାରୁ ଗୋପାଳକ ମାନେ ଭଲ ସେବା ପାଇଁ ଯେଉଁ ଆଶା ବାନ୍ଧିଥିଲେ ତାହା ଫସଲ ଫାଟିଯାଇଛି । ଅନେକ ସମୟରେ ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ତାଲା ପଡ଼ି ରହୁଥିବାରୁ ବହୁ ଗାଈଗୋରୁ ମାନେ ଚିକିତ୍ସାସେବା ପାଇଁ ଆସି ଫେରିଯାଉଥିବା ଅଭିଯୋଗ ହେଉଛି । ତୁରନ୍ତ ଏହି କେନ୍ଦ୍ରର ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ଦୁଇ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି । ଉକ୍ତ ଘଟଣା ସମ୍ପର୍କରେ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ ବେଉରାଙ୍କୁ ପଚାରିବାରୁ ୮ଟି ପ୍ରାଣୀଧନ ନିରୀକ୍ଷକଙ୍କ ପଦବୀ ଖାଲି ରହିଥିବାରୁ ଗୋସେବାରେ ସମସ୍ୟା ଉପୁଜୁଥିବା ପ୍ରକାଶ କରିଥିଲେ ।