Onn 3

ନତକାଇ ପଞ୍ଚାୟତ ତତ୍ୱାବଧାନରେ ୫ଟି କାର୍ଯ୍ୟ ହେବା ପାଇଁ ବିଇଓଙ୍କୁ ଦାବିପତ୍ର

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନରେ ଲାଲବାଗ ଉଚ୍ଚ ବିଦ୍ୟାଳୟ (ବ୍ଲକଗ୍ରାଣ୍ଟ) ରହିଅଛି । ଉକ୍ତ ବିଦ୍ୟାଳୟଟିର ଠିକଣା ନତକାଇ ପଞ୍ଚାୟତ ହୋଇଥିବାବେଳେ ତତକାଳୀନ ପ୍ରଶାସନ ଅଧିକାରୀଙ୍କ ତ୍ରୁଟି ଯୋଗୁଁ ଏହା ଲାଲବାଗ ଗ୍ରାମ ଜିଗ୍ନୀପୁର ପଞ୍ଚାୟତରେ ନିର୍ମାଣ କରାଯାଇଥିଲା । ସର୍ବୋପରି ଉକ୍ତ ବିଦ୍ୟାଳୟଟିର ନାମ ଲାଲବାଗ ଉଚ୍ଚ ବିଦ୍ୟାଳୟ ହୋଇଥିଲେ ମଧ୍ୟ ଏହାର ଠିକଣା ସା/ପୋ ନତକାଇ , ଭାୟା ନିଶ୍ଚିନ୍ତକୋଇଲି, ଜିଲ୍ଲା କଟକରେ ଶୃଙ୍ଖଳିତ ଭାବେ ଚାଲୁଅଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ବିଦ୍ୟାଳୟର ରୂପାନ୍ତରୀକରଣ ପାଇଁ ୫ଟି ଯୋଜନାରେ ଅନୁଦାନ ଯୋଗାଇ ଦିଆଯାଇଛି । ପ୍ରଥମେ ଉକ୍ତ ଅନୁଦାନରେ ଏକ ନୂତନ ଗୃହ ନିର୍ମାଣ କରାଯିବାକୁ ସ୍ଥିର ହୋଇଥିଲାବେଳେ ଉକ୍ତ କାର୍ଯ୍ୟ କରିବା ନିମନ୍ତେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଯେହେତୁ ବିଦ୍ୟାଳୟଟିର ସ୍ଥାୟୀ ଠିକଣା ନତକାଇ ପଞ୍ଚାୟତରେ ରହୁଛି ତେଣୁ ଏହାକୁ ନତକାଇ ସରପଞ୍ଚ ଙ୍କ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ କରାଯିବା ପାଇଁ ସେ ଚାହୁଁଛନ୍ତି ।

ଅପରପକ୍ଷରେ ଉକ୍ତ ବିଦ୍ୟାଳୟଟି ଲାଲବାଗ ଗ୍ରାମ ଜିଗ୍ନୀପୁର ପଞ୍ଚାୟତରେ ରହିଥିବାରୁ ଜିଗ୍ନୀପୁର ସରପଞ୍ଚ ମଧ୍ୟ ତାଙ୍କ ତତ୍ତ୍ୱାବଧାନରେ ଏହାକୁ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଉଭୟ ସରପଞ୍ଚ ଉକ୍ତ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିବାରୁ ବେଳକୁ ବେଳ ବିବାଦ ବଢିଯିବାର ଲାଗିଛି । କାମ ପାଇଁ ଯଦି ଦୁଇ ପଞ୍ଚାୟତ ମଧ୍ୟରେ ଏଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ ତାହେଲେ ବିଦ୍ୟାଳୟଟି ଏଥିରେ ପ୍ରଭାବିତ ହୋଇ କୋମଳମତୀ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା ଜଳ ଜଳ ହୋଇ ଦେଖା ଯାଉଥିବା ଅଭଭାବକ ମହଲରେ ଚର୍ଚ୍ଚା ହେଉଛି । ଏହାର ଏକ ସମାଧାନ କରିବା ପାଇଁ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ନତକାଇ ପଞ୍ଚାୟତର ସରପଞ୍ଚ ସମେତ ଗ୍ରାମବାସୀମାନେ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସହକାରୀ ଶିକ୍ଷାଧିକାରୀ ଲକ୍ଷ୍ମୀନାରାୟଣ ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅପରପକ୍ଷରେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ବ୍ଲକ ପ୍ରଶାସନ ହସ୍ତକ୍ଷେପ କରିବା ନିମନ୍ତେ ବିଡ଼ିଓଙ୍କୁ ମଧ୍ୟ ପଞ୍ଚାୟତବାସୀମାନେ ଦାବିପତ୍ର ଦେଇଛନ୍ତି ।