Onn 3

ବିଭିନ୍ନ ଦାବିରେ ଭୁବନେଶ୍ଵରଠାରେ ୧୬ଡିସେମ୍ଵର ଵିଶାଳ ଶ୍ରମିକ ସମାଵେଶର ସଫଳତା ପାଇଁ ଵାରିପଦା ଠାରେ ଶ୍ରମିକ କନଭେନସନ ଅନୁଷ୍ଠିତ

State

ଵାରିପଦା: ମୟୁରଭଞ୍ଜ ଜିଲ୍ଲାର ଏଆଇଟିୟୁସି ସହବନ୍ଧିତ ଵିଭିନ୍ନ ୟୁନିୟନ ଯଥା ଓଡିଶା ଫରେଷ୍ଟ, ଉଡ୍ ଏଗ୍ରିକଲଚର ଆଣ୍ଡ ଵିଲଡିଙ୍ଗ୍ କନଷ୍ଟ୍ରକଶନ ଓ୍ଵାର୍କର୍ସ ୟୁନିୟନ, ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ, ନିଖିଳ ଓଡିଶା ଏନ୍ଆରଇଜିଏ ଶ୍ରମିକ ସଂଘ, ଭାରତୀୟ ଖେତ ମଜଦୂର ୟୁନିୟନ ଇତ୍ଯାଦିର ଶ୍ରମିକ କର୍ମଚାରୀ ମାନେ ଵାରିପଦା ପାଲଵଣି ଗେଟ୍ ଵଜାର ଠାରେ ଅନୁଷ୍ଠିତ ଶ୍ରମିକ କନଭେନଶନରେ ଶ୍ରମିକ ଶ୍ରେଣୀ ଓ ଜନଗଣଙ୍କ ସମସ୍ୟା ଆଲୋଚନା କରି ଭୁବନେଶ୍ଵରଠାରେ ୧୬ଡିସେମ୍ଵରରେ ହେଉଥିଵା ଵିଶାଳ ଶ୍ରମିକ ସମାଵେଶର ସଫଳତା ପାଇଁ ଆହ୍ଵାନ ଦିଆଯାଇଛି। ଓଡ଼ିଶାରେ ଶିଳ୍ପାୟନର ଦ୍ଵାହୀ ଦେଇ ଆଦିବାସୀଙ୍କୁ ଭିଟାମାଟିରୁ ଉଛେଦ, ଖଣିଜ ଲୁଣ୍ଠନ ଓ ପରିବେଶ ଧ୍ଵଂସ କରି ହାତଗଣତି ରାହୁ ପୁଞ୍ଜିପତି ଭାରତର ଵ୍ଯଵସ୍ଥା ଉପରେ ମାଲିକାନା ଜାହିର କରିବାରେ ସଫଳ ହୋଇଛନ୍ତି।ମାତ୍ର ୨୦୦୦ମସିହାରୁ ଇତି ମଧ୍ଯରେ ରାଜ୍ୟରେ ହଜାର ହଜାର ଅଣୁ,ଲଘୁ, କୁଟୀର, କ୍ଷୁଦ୍ର, ମଧ୍ୟମ ଓ ଵୃହତ ଶିଳ୍ପ କଳ କାରଖାନା ପରିଚାଳନାଗତ ତୃଟି ନେଇ ବନ୍ଦ ହୋଇଥିଵା ଵେଳେ ରାଜ୍ଯ ସରକାରଙ୍କ ଅଣଦେଖା ହେତୁ ଏହି ଶିଳ୍ପ ପୁନରୁଦ୍ଧାର ହୋଇପାରି ନାହିଁ।ଫଳରେ ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀ କର୍ମନିଯୁକ୍ତି ହରାଇ ବସିଛନ୍ତି।

ରାଜ୍ୟରେ ଦୁଇଲକ୍ଷ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା, ଏକ ଲକ୍ଷ ୪୦ହଜାରରୁ ଅଧିକ ଅଂଗନଓ୍ଵାଡି କର୍ମୀ,ମିନି କର୍ମୀ ଓ ସହାୟିକା ଏଵଂ ୪୫ହଜାରରୁ ଅଧିକ ଆଶା କର୍ମୀ ମହିଳା ସ୍କିମ୍ ଓ୍ଵାର୍କରମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବନିମ୍ନ ମଜୁରୀ ନଦେଇ ଶୋଷଣ କରୁଛନ୍ତି। ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶ ଅନୁସାରେ ଏମାନଙ୍କୁ ଓ୍ଵାର୍କର ମାନ୍ଯତା ଦେବାକୁ ସରକାର କୁଣ୍ଠାବୋଧ କରୁଛନ୍ତି। ସ୍କିମ୍ ଓ୍ଵାର୍କରଙ୍କ ଗତ ଆନ୍ଦୋଳନ ଵେଳେ ରାଜ୍ଯ ସରକାର ଭତ୍ତା ବୃଦ୍ଧିର ପ୍ରତିଶୃତି ଏଯାଏଁ ପୁରଣ କରି ନାହାନ୍ତି। ରାଜ୍ଯରେ ଏକ କୋଟି ତିନି ଲକ୍ଷ ଏମଜିଏନଆରଇଜିଏ ଶ୍ରମିକ ଥିବା ଵେଳେ ମାତ୍ର ୫୮ଲକ୍ଷ ଶ୍ରମିକଙ୍କୁ ଜଵ କାର୍ଡ ଦିଆଯାଇଛି।ଏମାନଙ୍କୁ ପ୍ରଚଳିତ ଶହେ ଦିନ କାମର ଗ୍ୟାରେଣ୍ଟି ଦେବା ପରିବର୍ତ୍ତେ ମେସିନ ମାଧ୍ଯମରେ କାମ କରାଯାଉଛି।ଧାନକଟା ଶ୍ରମିକଙ୍କୁ ଚାଷୀ ଦୈନିକ ୫ଶହ ଟଙ୍କା ମଜୁରୀ ଦେଉଥିବା ଵେଳେ ଏମଜିଏନ୍ଆରଇଜିଏ ଶ୍ରମିକଙ୍କ ଦୈନିକ ମଜୁରୀ ଟ୨୩୭/- ହୋଇଅଛି।ଏମାନଙ୍କୁ ଵାର୍ଷିକ ୨୪୦ଦିନ କାମ ଓ ଦୈନିକ ଟ୭୫୦/-ମଜୁରୀ ପାଇଁ ଏଆଇଟିୟୁସି ଦାଵି କରିଛି। ଓଡ଼ିଶାର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୨୦୧୩ଠାରୁ ସଂଶୋଧନ କରାଯାଇ ନାହିଁ।ଏହା ଦେଶର ସର୍ଵ ନିମ୍ନ ହାରରେ ହୋଇଥିବାରୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଯୁବ ଶ୍ରମିକ ବାହାର ରାଜ୍ୟକୁ ଵନ୍ଧୁଆ ଶ୍ରମିକ ଭାବେ ଯାଇ ସେଠାକାର ବିକାଶରେ ଅଂଶ ଗ୍ରହଣ କରି ମଧ୍ଯ-ବୟସରୁ ବିକଳାଙ୍ଗ ହୋଇ ଫେରୁଥିବା ଵେଳେ ଓଡିଶା ନିର୍ମାଣରେ ଅଂଶଗ୍ରହଣରୁ ବଞ୍ଚିତ ହେଉଛନ୍ତି।

ଓଡ଼ିଶା ବିଦ୍ୟୁତ ଘରୋଇକରଣ କରାଯାଇ ବିଦ୍ୟୁତ ସେବା ଅତ୍ୟନ୍ତ କଦର୍ଯ୍ୟ ହୋଇଥିବା ଵେଳେ, କର୍ମଚାରୀଙ୍କ ବେତନ ସଂଶୋଧନ ସମୟ ୨୦୧୮ରୁ ସମାପ୍ତ ହୋଇଥିଲେ ବି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଶ୍ରମ ବିଭାଗରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। କେନ୍ଦ୍ର ସରକାର ୪୪ଟି ଶ୍ରମ ଆଇନ ବାତିଲ କରି କମ୍ପାନୀମାନଙ୍କ ସପକ୍ଷରେ ଓ ଶ୍ରମିକ ଶ୍ରେଣୀର ଵିରୋଧରେ ୪ଟି ଶ୍ରମ କୋଡ଼ ପ୍ରଣୟନ କରି ଶ୍ରମିକ ଶ୍ରେଣୀଙ୍କୁ କ୍ରୀତ ଦାସ କରାଇବାର ଷଡ଼ଯନ୍ତ୍ର କରିଛନ୍ତି। ଦରଦାମ ବୃଦ୍ଧି ଜୀବନଧାରଣ କୁ ଦୁର୍ବିସହ କଲାଣି।ଏହି ପୃଷ୍ଠଭୂମିରେ ଏଆଇଟିୟୁସି ଆହ୍ଵାନରେ ଭୁଵନେଶ୍ଵରଠାରେ ରାଜ୍ଯର ସମସ୍ତ କ୍ଷେତ୍ରର ଶ୍ରମିକଙ୍କୁ ନେଇ ୧୬ଡିସେମ୍ଵର ରାଜ୍ଯସ୍ତରୀୟ ବିଶାଳ ଶ୍ରମିକ ସମାଵେଶ ଅନୁଷ୍ଠିତ ହେବ।ଏଥିରେ ଏଆଇଟିୟୁସିର ସର୍ଵ ଭାରତୀୟ ସଭାପତି ତଥା ପୂର୍ବତନ ସାଂସଦ ରମେନ୍ଦ୍ର କୁମାର, କାର୍ଯ୍ୟକାରୀ ସଭାପତି ତଥା ସାଂସଦ ବିନୟ ବିଶ୍ଵମ୍ ଏଵଂ ସାଧାରଣ ସମ୍ପାଦକ ଅମରଜିତ୍ କାଉର ଉଦବୋଧନ ଦେବେ। ଏହାର ସଫଳତା ପାଇଁ ଵାରିପଦାଠାରେ ଅନୁଷ୍ଠିତ ଶ୍ରମିକ କନଭେନଶନ ଏଆଇଟିୟୁସି ନେତା ନେତା କାହ୍ନୁ ଵେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଵା ଵେଳେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ଜୟନ୍ତ ଦାସ, ସିପିଆଇ ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ୟ ଡାକ୍ତର ପ୍ରଶାନ୍ତ ମିଶ୍ର, ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ଆଶା କର୍ମୀ ସହ ସମ୍ପାଦକ ନନ୍ଦିନୀ ମହାରଣା, ସୁକମଣୀ ଜେନା, ମଞ୍ଜୁରାଣୀ ବେହେରା, ମହେଶ୍ଵର ବେହେରା, ସମାୟ ହେମ୍ବ୍ରମ, ଝୁନା ସିଂ,ଵୁଧୁ ସିଂ, ଅଭିରାମ ଜେନା,ଆଶା ପ୍ରଧାନ,ଶାନ୍ତିଲତା ମାହାନ୍ତ, ମିଲି ରାମ ପ୍ରମୁଖ ଵିଭିନ୍ନ ବିଷୟରେ ଆଲୋଚନା କରି ଶ୍ରମିକ ସମାଵେଶରେ ସଫଳତା ପାଇଁ ଆହ୍ଵାନ ଦେଇଥିଲେ।