Onn 3

ବର୍ଷା ବଢାଇଲା ଚାଷୀଙ୍କ ଚିନ୍ତା, ପାଚିଲା ଧାନ ଖୋଲା ଆକାଶ ତଳେ ବଡ଼ି ଗଜା ହେବା ଆଶଙ୍କା

State

ଆଗରପଡ଼ା: ବାତ୍ୟା ପ୍ରଭାବରେ ସୋମବାର ସକାଳୁ ପାଗ କୋହୋଲା ରହିବା ସହ ସଂଧ୍ୟାରେ ଝିପିଝିପି ବର୍ଷା ହେବା ଫଳରେ ଚାଷୀ ମୁଣ୍ଡ଼ରେ ଚଡ଼କ ପଡ଼ିଥିବା ବେଳେ ବୁଧବାର ଠାରୁ ବର୍ଷାର ପ୍ରଭାବ ଜୋର ହୋଇଥିବାରୁ ଚାଷୀଙ୍କ ଚିନ୍ତା ଜୋର ବଢି ଯାଇଛି । ବର୍ଷକର ପରିଶ୍ରମ ସବୁ ବର୍ଷା ଯୋଗୁଁ ଧୋଇ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । ପ୍ରତିବର୍ଷ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟସ୍ତରୁ ଚାଷୀ ମୂକୁଳି ପାରି ନଥିବା ବେଳେ ଏବେ ବାତ୍ୟା ପ୍ରଭାବରେ ବର୍ଷାର ପ୍ରଭାବ ଜୋର ହେବା ଫଳରେ ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ଥିବା ଚାଷୀମାନେ ଋଣ ଯନ୍ତାରେ ପଡ଼ି ଛଟପଟ ହେବା ସାର ହୋଇଛି । ଏହି ଅଂଚଳରେ ପ୍ରାୟ ୮୦ ପ୍ରତିଶତ ଲୋକ କେବଳ ଧାନଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି ।

ଏହି ଚାଷକୁ ଛାଡ଼ିଦେଲେ ଆୟ କରିବାର ଅନ୍ୟ କିଛି ପନ୍ଥା ନାହିଁ । ବହୁ ଲୋକ ବ୍ୟାଙ୍କ ଋଣ କିମ୍ବା ଗାଉଁଲି ଧାର କରଜ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଏଥର ମଧ୍ୟ ଠିକ୍ ସେପରି ଉପାୟରେ ଧାନ ଚାଷ କରିଥିଲେ । ଅନେକ ଭାଗ ଚାଷୀ ମଧ୍ୟ ରହିଛନ୍ତି । କିଛି ସ୍ଥାନରେ ଧାନ କଟାଯାଇ ବିଲରେ ପଡ଼ିଛି । ବର୍ଷା ଯୋଗୁଁ ସେଠାରେ ତାହା ଗଜା ହୋଇ ନଷ୍ଟ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଆଉ କିଛି ଲୋକ ପାଗକୁ ଦେଖି ତରବରିଆ ଭାବେ ଖଳାରେ ଆଣି ଧାନକୁ ରଖିଥିଲେ ସୁଦ୍ଧା ଏଠାରେ ମଧ୍ୟ ସମ ପରିସ୍ଥିତି ସୃଷ୍ଟି ହୋଇଛି । ଖୋଲା ଆକାଶ ତଳେ ଧାନ ଗୁଡ଼ିକ ପଡ଼ି ରହିଥିବା ବେଳେ ଏହି ବର୍ଷା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣ କରିଦେଇଛି । ପୂର୍ବ ବର୍ଷ ପରି ପ୍ରକୃତି ପୁଣି ଦାଉ ସାଜିବା ପରିସ୍ଥିତି ସୃଷ୍ଟି ହେବା ଚିନ୍ତାରେ ଚାଷୀର ନିଦ ହଜିଯାଇଥିବା ପରିଲକ୍ଷିତ ହୋଇଛି ।