Onn 3

ବଣ ବିଲେଇକୁ ବାଘ ଭାବି ଲୋକେ ଛାନିଆ

State

ଆଗରପଡ଼ା:ଏକ ବଣ ବିଲେଇକୁ ବାଘ ଭାବି ଗାଁ ଲୋକଙ୍କ ନିଦ ହଜି ଯାଇଛି । ଗୋଟିଏ ପଟେ ସାମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଥିବା ବେଳେ ବାଘ ବୁଲୁଛି ବୋଲି ପ୍ରଚାର ହେବା ପରେ ଲୋକଙ୍କ ଭୟ ଦ୍ୱିଗୁଣିତ ହୋଇଯାଇଛି । ଆଗରପଡ଼ା ସ୍ଥିତ ବଡ଼ମହିଁଶଗୋଠ ପଂଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ ଜନୈକା ମହିଳା ରାତିରେ ଉଠିଥିବା ବେଳେ ତାଙ୍କ ପାଳରେ ବାଘ ଯାଉଥିବାର ଦେଖି ଘର ଲୋକଙ୍କୁ ଏବିଷୟରେ କହିଥିଲେ । ପରେ ଏହି ଖବର ଚାରିଆଡ଼େ ପ୍ରଘଟ ହୋଇଯାଇଥିଲା । ଖବରପାଇ ଭଦ୍ରକ ରେଞ୍ଜର ପିତାମ୍ବର ନାୟକ,ଫରେଷ୍ଟର ବସନ୍ତ ମାଝି ପ୍ରମୁଖ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଭୟଭିତ ନ ହେବା ପାଇଁ ଆଶ୍ୱାସନା ଦେଇଥିଲେ ।

ଏହା ବଣ ବିଲେଇ ଓ ନିକଟସ୍ଥ ହଦଗଡ଼ ଜଙ୍ଗଲରୁ ପଳାଇ ଆସି ଥାଇପାରେ ବୋଲି ରେଞ୍ଜର କହିଛନ୍ତି । ବର୍ତ୍ତମାନ ବିଲେଇ ସାଳନ୍ଦୀ ନଦୀ କୂଳରେ ଥିବା ବିଭିନ୍ନ ପାଳରେ ବୁଲୁଥିବାର ଲୋକେ ଦେଖୁଛନ୍ତି । ସେଥିପାଇଁ ସନ୍ଧ୍ୟା ପରେ ଲୋକଙ୍କ ତାଟି କବାଟ ପଡ଼ିଯାଉଛି । ଜଙ୍ଗଲରେ ଅହରହ ମାଫିଆମାନେ ଗଛ କାଟୁଥିବାରୁ ଜନ୍ତୁମାନେ ଭୟଭୀତ ହୋଇ ଖାଦ୍ୟ ଅନ୍ୱେଷଣରେ ବାରମ୍ବାର ଗାଁ ମଧ୍ୟକୁ ପଶି ଆସୁଛନ୍ତି । ଏଥି ପୂର୍ବରୁ ହାତୀ,ଭାଲୁ ଓ ମହିଁଷି ଆଦି ପଶୁମାନେ ବିଭିନ୍ନ ଗାଁକୁ ପଶିଆସି କ୍ଷୟକ୍ଷତି କରୁଥିବାର ନଜୀର ରହିଛି ।