ଆଜି ସମସ୍ତେ ପାଳନ ନୂଆ ସାର୍ଟ ପିନ୍ଧି ପଢ଼ୁଆଁ ହେଉଛନ୍ତି । ଏମାନେ ବି ଆସୁଥିଲେ ଘରେ ପଢ଼ୁଆଁ ଅଷ୍ଟମୀ ପାଳିବାକୁ । କିନ୍ତୁ ଅଧା ରହିଗଲା ପ୍ରଥମାଷ୍ଟମୀ । ସ୍ତ୍ରୀ ଆଗରେ ଟ୍ରେନରେ କଟିଗଲା ସ୍ୱାମୀର ଦୁଇଟି ଯାକ ଗୋଡ । ବାହୁନି ବାହୁନି ପଣତ କାନିରେ କ୍ଷତ ସ୍ଥାନକୁ ବାନ୍ଧି ଦେଇଛି ସ୍ତ୍ରୀ । ସ୍ୱାମୀ ବି ଚିତ୍କାର କରୁଛି, ମରିଗଲି ମରିଗଲି ମୋତେ ବଞ୍ଚେଇ ଦେ ଲୋ ମାଆ । ଏ ଛାତିଥରା ହୃଦୟ ବିଦାରକ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ ଦେଖିବାକୁ ମିଲିଛି । ବାଲେଶ୍ୱର ଜିଲ୍ଲା କସବା ଜୟପୁର ବର୍ଦ୍ଧନ ସାହିର ମୋନୋଜ ନାୟକ ଓ ସ୍ତ୍ରୀ ସିମା ଯାଜପୁର ରୋଡରେ ରାଜମିସ୍ତ୍ରୀ ଭାବେ କାମ କରନ୍ତି l ଆସନ୍ତା କାଲି ପ୍ରଥମାଷ୍ଟମି ଥିବାରୁ ପୁରୀ ବାଙ୍ଗିରିପୋଷି ଟ୍ରେନ ଯୋଗେ ଘରକୁ ଫେରୁଥିଲେ ।ଉଭୟ ବାଲେଶ୍ୱରରେ ଓହ୍ଲାଇବାର ଥିଲା । ଟ୍ରେନ ପ୍ରବଳ ଭିଡ଼ ଥିବାରୁ ଭୁଲରେ ସୋର ଷ୍ଟେସନରେ ମନୋଜ ଓହ୍ଲାଇ ପଡିଥିଲେ ।
ଆଉ ଯେତେବେଳେ ଜାଣିଲେ ସେ ବାଲେଶ୍ୱରରେ ନୁହେଁ ସୋରରେ ଓହ୍ଲାଇଛନ୍ତି ତ ସେ ପୁଣି ଟ୍ରେନକୁ ଚଢ଼ିଗଲେ । ଆଉ ଚଢ଼ିବାବେଳେ ଗୋଡ଼ ଖସି ଟ୍ରେନ ଚକା ତଳକୁ ଚାଲିଯାଇଥିଲା । ମନୋଜ ଦୁଇ ଗୋଡ଼ ହରାଇ ମୁମୂର୍ଷ ହୋଇ ପଡିଥିବା ବେଳେ ସ୍ତ୍ରୀ ସୀମା ମୁଣ୍ଡପିଟି ତଳେ ଗଡି ଯାଉଥିଲେ । ସୀମା ମୁର୍ମୂଷ ସ୍ବାମୀର ଦୁଇ କଟା ଗୋଡ଼ରୁ ବୋହି ହଉଥିବା ରକ୍ତ ବନ୍ଦ ପାଇଁ ନିଜ ପଣତ କାନିରେ କ୍ଷତ ସ୍ଥାନକୁ ବାନ୍ଧି ଦେଇଥିଲା । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖି କିଛି ଲୋକ ଦମକଳ ବାହୀନିକୁ ଖବର ଦେଇଥିଲେ । ଦମକଳ ବାହିନୀ ମନୋଜକୁ ଉଦ୍ଧାର କରି ସୋର ଡାକ୍ତରଖାନlରେ ଭର୍ତ୍ତି କରିଥିଲେ । ପରେ ମନୋଜକୁ କଟକ ସ୍ଥାନାନ୍ତର କରାଯାଇଛି । ପଢ଼ୁଆଁ ଅଷ୍ଟମୀ ପାଇଁ ନୂଆ ଜାମା ପ୍ୟାଣ୍ଟ କିଣି କେତେ ଖୁସିରେ ଟ୍ରେନରେ ବସି ଘରକୁ ଆସୁଥିଲେ ଏ ସ୍ୱାମୀ ସ୍ତ୍ରୀ । କିନ୍ତୁ ସମୟ ଖରାପ ପଡିଗଲା ଆଉ ହଠାତ୍ ସବୁକିଛି ବଦଳିଗଲା ଅଧା ରହିଗଲା ପ୍ରଥମାଷ୍ଟମୀ ।