Onn 3

ମୟୂରଭଞ୍ଜ ଜିଲ୍ଲା ସଂସ୍କୃତି ଭବନ ପ୍ରାଙ୍ଗଣରେ ଉଦ୍ଘାଟିତ ହେଲା ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ

State

ଓଡ଼ିଶା ଚାରୁକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଲଳିତା କଳା ଏକାଡେମୀର ଏକ ଅଭିନବ ପ୍ରୟାସ: ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ

ବାରିପଦା: ରାଜ୍ୟ ଚାରୁକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ, ଓଡ଼ିଶା ଲଳିତା କଳା ଏକାଡେମୀର ଏକ ଅଭିନବ ପ୍ରୟାସ: ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ମୟୁରଭଞ୍ଜ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଥିବା ସଂସ୍କୃତି ଭବନ ପ୍ରାଙ୍ଗଣରେ ଅପରାହ୍ନ ୪ଟା ବେଳେ ତିନି ଦିନ ବ୍ୟାପି ହେବାକୁ ଥିବା ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀର ଉଦ୍ଘାଟନୀ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀକୁ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିବାବେଳେ, ଅତିରିକ୍ତ ଜିଲ୍ଲାପାଳ (ରାଇରଙ୍ଗପୁର) ଶ୍ରୀ ଦୌଲତ ଚନ୍ଦ୍ରକାର ଏବଂ ଅତିରିକ୍ତ ଜିଲ୍ଲାପାଳ (ମୟୂରଭଞ୍ଜ), ଶ୍ରୀ ଅଭିମନ୍ୟୁ ବେହେରା ସମ୍ମାନିତ ଅତିଥି ଭାବେ ଏହି ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ସମାରୋହରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଏହି ଚିତ୍ରକଳା ପ୍ରଦର୍ଶନୀରେ ଓଡିଶା ଚାରୁକଳାର ସର୍ବମୋଟ ୪୦ଟି ଜଳ ରଜ୍ଜିତ ଚତ୍ରକଳା ଏବଂ ଆକ୍ରିଲିକ୍ କାନଭାସ୍ ପେଣ୍ଟିଂ ପ୍ରଦର୍ଶିତ ହୋଇଥିଲା। ଏହି ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀର ଆବାହକ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ସେଠୀ ଜିଲ୍ଲାପାଳ ଏବଂ ସମସ୍ତ ଅତିଥି ମାନଙ୍କୁ ଏହି ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ବାବଦରେ ସବିଶେଷ ବୁଝାଇଥିବା ବେଳେ, ଲଳିତା କଳା ଏକାଡେମୀ ତରଫରୁ ଆସିଥିବା ଶ୍ରୀ ସୁବ୍ରତ ମହାନ୍ତି ଏବଂ ଶ୍ରୀ ଛତ୍ରପତି ବିଶ୍ୱାଳ ଏହି ତ୍ରି-ଦିବସୀୟ ଚିତ୍ରକଳା ପ୍ରଦର୍ଶନୀର ଉପାଦେୟତା ବିଷୟରେ କଳାପ୍ରେମୀ ମାନଙ୍କୁ ବୁଝାଇଥିଲେ। ସୂଚନା ଥାଉକି ଏହି ତ୍ରି-ଦିବସୀୟ ଚିତ୍ରକଳା ପ୍ରଦର୍ଶନୀ ଜିଲ୍ଲା ସଂସ୍କୃତି ଭବନ ପ୍ରାଙ୍ଗଣରେ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ଆଜିର ଉଦ୍ଘାଟନୀ ସମାରୋହରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ସମେତ ଜିଲ୍ଲା ପ୍ରଶାସନରେ କାର୍ଯ୍ୟରତ ସମସ୍ତ କର୍ମକର୍ତା ନିଜର ଯୋଗଦାନ ଦେଇଥିବା ନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।