Onn 3

ମୟୂରଭଞ୍ଜ ରେ ଧୂସର ଜଳର ସଠିକ ପରିଚାଳନା ପାଇଁ ଦିଗ୍ଦର୍ଶନ କର୍ମଶାଳା ଅନୁଷ୍ଠିତ

State

ବାରିପଦା : ରାଜ୍ୟରେ ଜଳ ପ୍ରଦୂଷଣ ଏବଂ ସହରୀ ଅପରିଷ୍କାର ଜଳର ସଠିକ ନିଷ୍କାସନ ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ପ୍ରୟାସ ହଲ ଠାରେ ଶୁକ୍ରବାର ଦିନ ସହରରେ ଧୂସର ଜଳର ସଠିକ ପରିଚାଳନା ପାଇଁ ଏକ ଦିଗ୍ଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଇତ୍ୟବସରରେ ବାରିପଦା ପୈ।ରପରିଷଦ ଦ୍ୱାରା ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଏହି ଦିଗ୍ଦର୍ଶନ କର୍ମଶାଳା ତଥା ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଯୋଗ ଦେଇଥିବା ବେଳେ, ବାରିପଦା ପୈ।ରପରିଷଦ ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି ଏହି ସଭାରେ ସଭାପତିତ୍ୱ କରିଥିଲେ। ବରେନ୍ୟ ସମ୍ମାନିତ ଅତିଥି ଭାବେ, ଯୁଗ୍ମ ସଚ୍ଚିବ, ସହରୀ ଏବଂ ଗୃହ ବିକାଶ ବିଭାଗ, ଓଡିଶା ସରକାର, ସାରଦା ପଣ୍ଡା , ମୁଖ୍ୟ ବିକାଶ ଅଧିକାରୀ-ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ, ମୟୂରଭଞ୍ଜ ଜିଲ୍ଲା ପରିଷଦ, ଶ୍ରୀ ରଜନୀକାନ୍ତ ସ୍ୱାଇଁ , ଏହି କର୍ମଶାଳାରେ ଯୋଗ ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଦୁଇଟି ମ୍ୟୁନିସିପାଲଟି ଯଥା ବାରିପଦା, ରାଇରଙ୍ଗପୁର ଓ ଦୁଇଟି ବିଜ୍ଞାପିତ ଅଂଚଳ ପରିଷଦ ଯଥା ଉଦଳା, କରଞ୍ଜିଆର କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଏବଂ ସମସ୍ତ ସହରୀ ସ୍ଥାନୀୟ ସଂସ୍ଥାର ନଗରପାଳ, ଉପନଗରପାଳ ଏବଂ ସେମାନଙ୍କର କାର୍ଯ୍ୟକାରୀ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ। ଏହି କର୍ମଶାଳାର ଆଭିମୁଖ୍ୟ ଏହା ଯେ ସହରରେ ଅତ୍ୟଧିକ ପରିମାଣର ଧୂସର ଜଳ(ରୋଷେଇ ଘର କିମ୍ବା ଘରର ଆନୁସଙ୍ଗିକ ଆବର୍ଜନା)ର ସଠିକ ପରିଚାଳନା କରିବା ଏବଂ ଏହି ଅପସାରିତ ଧୂସର ଜଳକୁ ଉପଯୋଗ କରି ପାରିବା।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଥିଲେ ଯେ ମୟୂରଭଞ୍ଜ ଜିଲ୍ଲାରେ ଏହି ପ୍ରକଳ୍ପ ଅତି ସୁଦୃଢତାରେ କାର୍ଯ୍ୟକରାଯିବା ଉଚିତ କାରଣ ସଲିଡ଼ ୱେଷ୍ଟ ମ୍ୟାନେଜମେଣ୍ଟ ଠାରୁ ବେଶୀ ଉପାଦେୟ ଏବଂ ଜରୁରୀ ଏହି ଲିକ୍ୱିଡ଼ ୱେଷ୍ଟ ମ୍ୟାନେଜମେଣ୍ଟ। ତେଣୁ ସମସ୍ତ ଘରେ ଘରେ ଏହି ଯୋଜନାର କାର୍ଯ୍ୟକାରିତା ହେବ ଉଚିତ ଏବଂ ସମସ୍ତ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ଯେ ସେମାନେ ଏହି କାର୍ଯ୍ୟ କୁ ଅଧିକରୁ ଅଧିକ ଲୋକାଭିମୁଖୀ କରାଇବା ପାଇଁ ଯୋଜନା ମାନ ପ୍ରସ୍ତୁତ କରିବେ। ଯୁଗ୍ମ ସଚ୍ଚିବ, ଶ୍ରୀ ପଣ୍ଡା ମଧ୍ୟ ଏହି ପ୍ରକଳ୍ପ ଅନ୍ତର୍ଗତ ମୁକ୍ତା (MUKTA) ଯୋଜନା ଏବଂ ରାଜ୍ୟ ସରକାରଙ୍କର ଏହି ଲିକ୍ୱିଡ଼ ୱେଷ୍ଟ ମ୍ୟାନେଜମେଣ୍ଟ କୁ ନେଇ ବିଭିନ୍ନ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ପାଇଁ କହିଥିଲେ। ସୂଚନା ଥାଉକି ଏହି କର୍ମଶାଳାରେ ଢେଙ୍କାନାଳ ମ୍ୟୁନିସିପାଲିଟି, ନିରୀକ୍ଷଣ ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ର ସମସ୍ତ ଉପସ୍ଥିତ କାର୍ଯ୍ୟକାରୀ ପ୍ରତିନିଧି ମଣ୍ଡଳ ତଥା ଯନ୍ତ୍ରୀ ମାନଙ୍କୁ ଏହି ଅପସାରିତ ଧୂସର ଜଳର ସଠିକ ପରିଚାଳନା କରିବା ଏବଂ ଏହି ଅପସାରିତ ଧୂସର ଜଳକୁ ଉପଯୋଗ କରାଯିବ, ପାୱାରପଏଣ୍ଟ ମାଧ୍ୟମରେ ବୁଝାଇଥିଲେ। ଏହି କର୍ମଶାଳା ଶେଷରେ ଉଦଳା ବିଜ୍ଞାପିତ ଅଂଚଳ ପରିଷଦର ନଗରପାଳ ଶ୍ରୀମତୀ ପ୍ରମିଳା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।