Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ୍ ପାଳିତ

State

ବାରିପଦା : ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ୍ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ଏମ. ହିମବିନ୍ଦୁଙ୍କ ମାର୍ଗଦର୍ଶନରେ ଆୟୋଜିତ ସମାବେଶରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସମାଜ ସେବା ବିଭାଗର ସହକାରୀ ପ୍ରଫେସର ଶୁଭେନ୍ଦୁ ଶତପଥି ଛାତ୍ରଛାତ୍ରୀ ମାନଙ୍କୁ ଏହି ଦିବସର ବିଶେଷତ୍ୱ ସମ୍ବନ୍ଧରେ ଅବଗତ କରାଇଥିଲେ । ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ସୁସଜ୍ଜ୍ନିତ ଧାଡ଼ିରେ ଦଣ୍ଡାୟମାନ ହୋଇ ବ୍ୟାଚ୍‌ ପରିଧାନପୂର୍ବକ ଏହି ଦିବସରେ ଏପରି ଏକ ମାରାତ୍ମକ ବ୍ୟାଧିକୁ ବିଶ୍ୱ ବକ୍ଷରୁ ଧ୍ୱଂସ କରିବାପାଇଁ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାଙ୍କ ମଧ୍ୟରେ ଡ. ପ୍ରିୟରଞ୍ଜନ ଦେବତା, ଡ. ପ୍ରଭଞ୍ଜନ ମଲ୍ଲିକ, ଡ. ଲିଙ୍ଗରାଜ ବେହେରା ଯୋଗଦାନ କରିଥିଲେ । ପ୍ରଫେସର ସୁସ୍ମିତା କର, ପ୍ରଫେସର ମିନତୀ ମଲ୍ଲିକ, ପ୍ରଫେସର କବିତା କୁମାରୀ ସାହୁ ଛାତ୍ରଛାତ୍ରୀଙ୍କ ନିକଟରେ ସଚେତନତାର ବାର୍ତ୍ତା ରଖିଥିଲେ । ଏହି ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ଜାତୀୟ ରାଜପଥ ପର୍ଯ୍ୟନ୍ତ ପରିକ୍ରମା କରି ଅଟୋ ଚାଳକ, ସାଧାରଣ ଦୋକାନୀ, ପଥପ୍ରାନ୍ତର ସାଧାରଣ ଜନତା, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ନାଲି ରିବନ୍‌ ପିନ୍ଧାଇ ଏଡ୍‌ସ ପରି ମାରାତ୍ମକ ବ୍ୟାଧି ସମ୍ବନ୍ଧରେ ସଚେତନ କରାଯାଇଥିଲା । ଏହି ଅବସରରେ ଜାତୀୟ ଏଡ୍‌ସ ଦିବସର ବାର୍ତ୍ତା ଦସ୍ତଖତ ଅଭିଯାନ ମାଧ୍ୟମରେ ସଂଗ୍ରହ କରାଯାଇଥିଲା ।