Onn 3

ଗବେଷଣା ଆଦିବାସୀ ସଂସ୍କୃତିକୁ ବିଶ୍ୱ ପରିଚୟ ଦେବ, ଏମ.ସି.ଡି.ଏଫ ଆୟୋଜିତ ଆଲୋଚନାଚକ୍ରରେ ମତ

State

ବାରିପଦା: ବାରିପଦା ଶହୀଦ ସ୍ମୃତି ଭବନଠାରେ ମୟୂରଭଞ୍ଜ କଲଚୁରାଲ ଡେଭେଲପମେଣ୍ଟ ଫାଉଣ୍ଡେସନ ଦ୍ୱାରା ଆୟୋଜିତ “ଆଦିବାସୀ ସଂସ୍କୃତି ଓ ଗବେଷଣା” ଶୀର୍ଷକ ଏକ ବୈଦ୍ଧିକ ଆଲୋଚନା ଚକ୍ରରେ ଆଦିବାସୀ ସଂସ୍କୃତିର ଉତ୍କର୍ଷତା ଓ ଏହାର ପ୍ରଚାର ପ୍ରସାର ନିମନ୍ତେ ବିଶ୍ୱ ସ୍ତରରେ ବୈଶିଷ୍ଟ ଉପଲବ୍ଧୀ ନିମନ୍ତେ ଗବେଷଣାର ଆବଶ୍ୟକତା ଉପରେ ସମ୍ବଳ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ ।
ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଡ. ବିଜୟ କୁମାର ଅଗ୍ରୱାଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ଜିଲ୍ଲାର ଆଦିବାସୀ ଗବେଷକ, ମହାରାଜା ଶ୍ରୀରମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ, ଆଦିବାସୀ ସମାଜର ବୁଦ୍ଧିଜୀବି, ସଂଗଠକ, ସାମ୍ବାଦିକ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଅଂଶ ଗ୍ରହଣ କରିଥିଲେ ।

ପ୍ରଥମେ ଆଲୋଚନା ଚକ୍ରର ଆବାହକ ବରିଷ୍ଟ ପରିବେଶବିତ ସନ୍ତୋଷ ମହାନ୍ତି ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି ଆଲୋଚନା ଚକ୍ରର ସମୟପଯୋଗୀ ଆବଶ୍ୟକତା ଉପରେ ଯୁକ୍ତି ଉପସ୍ଥାପନା କରିଥିଲେ ।
ଆଲୋଚନା ଚକ୍ରରେ ଆଦିବାସୀ ସମାଜର ଗୁରୁ ଗମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅଲଚିକି ଲିପି ଓ ତାଙ୍କର ସାହିତ୍ୟିକ କୃତି ସମ୍ପର୍କରେ ପ୍ରଥମେ ଗବେଷଣା କରିଥିବା ଗବେଷକ ରାଜ କିଶୋର ନାୟକ କହିଥିଲେ ଯେ ରାଜ୍ୟ ତଥା କେନ୍ଦ୍ର ସରକାର ଆଦିବାସୀ ସଂସ୍କୃତିର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ଅଧିକ ଉଦ୍ୟମ କରିବାର ଆବଶ୍ୟକତା ରହିଛି ।
ଏହାପରେ ଅନ୍ୟତମ ସମ୍ବଳ ବ୍ୟକ୍ତି ପୂର୍ବତନ ରାଜ୍ୟସଭା ସଦସ୍ୟ ବୀରଭଦ୍ର ସିଂ ତାଙ୍କର ରାଜନୈତିକ କାର୍ଯ୍ୟ କଳାପ ମଧ୍ୟରେ ଆଦିବାସୀ ସଂସ୍କୃତିର ବିକାଶ ନିମନ୍ତେ ଗ୍ରହଣ କରିଥିବା ଉଦ୍ୟମ ସମ୍ପର୍କରେ ତଥ୍ୟ ସ୍ଥାପନ କରିବା ସହିତ ଆଦିବାସୀଙ୍କର ବିଭିନ୍ନ ସମ୍ପ୍ରଦାୟକୁ ଏକ ରଜ୍ଜୁରେ ବାନ୍ଧି ରଖିବା ନିମନ୍ତେ ସଂସ୍କୃତିର ଗବେଷଣାକୁ ଗୁରୁତ୍ୱ ଦେଇଥିଲେ ।

ଅନ୍ୟତମ ବ୍ୟକ୍ତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ଡ. ବସନ୍ତ କୁମାର ମହାନ୍ତ ତାଙ୍କ ବକ୍ତବ୍ୟରେ ମୟରଭଞ୍ଜର ଅତୀତ ସମୃଦ୍ଧିର ମହନିୟତା ଓ ରୁଦ୍ଧିମନ୍ତ ସମାଜ ବ୍ୟବସ୍ଥା ଉପରେ ଆଲୋକପାତ କରିବା ଅବସରରେ କହିଥିଲେ ଯେ ଏଠାକାର ସଭ୍ୟତା ବହୁ ପୁରାତନ । ସ୍ଥାନୀୟ ଅଧିବାସୀମାନଙ୍କର ଜୀବନଶୈଳି ବିଶ୍ୱ ସ୍ତରରେ ସଂପୃକ୍ତ ଥିଲା । ଆଦିବାସୀମାନଙ୍କର ଜୀବନ ଶୈଳିକୁ ଅଧିକ ରୁଦ୍ଧିମନ୍ତ ନିମନ୍ତେ ଗବେଷଣାର ଆବଶ୍ୟକତା ଉପରେ ଯୁକ୍ତି ଉପସ୍ଥାପିତ କରିଥିଲେ ।
ଅନ୍ୟତମ ବକ୍ତା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସାନ୍ତାଳୀ ଭାଷା ବିଭାଗର ମୁଖ୍ୟ ଡ. ଯତୀନ୍ଦ୍ର ନାଥ ବେଶ୍ରା ତାଙ୍କ ବକ୍ତବ୍ୟରେ ଆଦିବାସୀ ସଂସ୍କୃତିର ମହନିୟତା ସଂରକ୍ଷଣ ଓ ବିକାଶ ନିମନ୍ତେ ଉଦ୍ୟମ ସହିତ ବ୍ୟାପକ ଗବେଷଣା ଉପରେ ଗୁରୁତ୍ୱାରୋପ କରିଥିଲେ ।
ମୁଣ୍ଡାରୀ ସମାଜର ରାଜ୍ୟ ସଭାପତି ତଥା ପୂର୍ବତନ ପାଇଲଟ ରବୀନ୍ଦ୍ର ନାଥ ସିଂ ତାଙ୍କ ବକ୍ତବ୍ୟରେ ଆଦିବାସୀ ସମାଜ ବିଶେଷ କରି ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଅଧିବାସୀଙ୍କ ଜୀବନ ନାଟିକା ପ୍ରାକୃତିକ ପରିବେଶର ସଂରକ୍ଷଣ ନିମନ୍ତେ ସର୍ମପିତ ହେବା ସହ ରାଜ୍ୟର ଜୀବନଦାତା ଶିମିଳିପାଳର ସୁରକ୍ଷା ଓ ବିକାଶ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।

ଆଲୋଚନା ଚକ୍ରର ସଭାପତି ଡ. ବିଜୟ କୁମାର ଅଗ୍ରୱାଲା ପରିବେଶ ସହିତ ଆଦିବାସୀ ସମାଜର ଜୀବନ ଶୈଳୀ ଅଙ୍ଗାଙ୍ଗୀଭାବେ ଜଡିତ ଥିବା ଦର୍ଶାଇଥିଲେ ।
ଶେଷରେ ସଂଗଠନ କାର୍ଯ୍ୟକାରୀ ସଦସ୍ୟ ଆଶିଷ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।