Onn 3

ଅବଧି ସରିବାକୁ ବର୍ଷେ ପୂରିଲା, ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ

State

ଆଗରପଡ଼ା:ଅବଧି ସରିବାର ବର୍ଷେ ପରେବି ରାସ୍ତା ନିର୍ମାଣ ନ ସରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ୫୩ ନଂ ରାଜ୍ୟ ରାଜପଥ(ଟିଲୋ) ଠାରୁ ଆଡ଼ିଆ ପର୍ଯ୍ୟନ୍ତ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରେ । ସରକାର ଗ୍ରାମାଚଂଳରେ ବସବାସ କରୁଥିବା ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିୟୋଜିତ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଏଥିରେ କୌଣସି ସଫଳତା ମିଳିପାରୁନଥିବା ଉକ୍ତ ରାସ୍ତା ନିର୍ମାଣରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ସୂଚନା ଅନୁଯାୟୀ;ଉକ୍ତ ୭କିଲୋମିଟର ୪୦୦ ମିଟର କଂକ୍ରିଟ ଓ ପିଚୁ ରାସ୍ତା ନିର୍ମାଣ ପାଇଁ ୩୧୮.୦୨ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ବର୍ଷ ୨୦୨୧ ଅକ୍ଟୋବର ମାସ୧୦ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ବର୍ଷ ୨୦୨୨ ସେପ୍ଟେମ୍ବର ମାସ ୪ ତାରିଖରେ ଉକ୍ତ ରାସ୍ତା ନିର୍ମାଣ ଶେଷ ହେବା କଥା । ମାତ୍ର ଠିକାଦାରଙ୍କ ମନୋମୁଖୀ ଭାବ ଯୋଗୁଁ ଏହି କାର୍ଯ୍ୟ ହେବାରେ ଅହେତୁକ ବିଳମ୍ବ ଘଟୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ବାରମ୍ବାର ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ମିଳି ପାରୁନଥିବା ଜଣାପଡ଼ିଛି । ଫଳରେ ଅଧପନ୍ତରିଆ ରାସ୍ତା ଲୋକଙ୍କ ଗମନାଗମନରେ ଘୋର ବାଧା ସୃଷ୍ଟି କରୁଛି । ଉକ୍ତ ରାସ୍ତା ବନ୍ତ ବ୍ଲକକୁ ସଂଯୋଗ କରୁଥିବାରୁ ଏହାର ମହତ୍ୱ ଅଧିକ ଥିଲେ ସୁଦ୍ଧା ରାସ୍ତା ନିର୍ମାଣ ହୋଇପାରୁନାହିଁ । ଅପରପକ୍ଷରେ ନିର୍ମାଣ ପରେ ରାସ୍ତାର ରକ୍ଷଣାବେକ୍ଷଣ ନିମନ୍ତେ ସ୍ଥାଣିତ ଫଳକକୁ ଇତିମଧ୍ୟରେ ୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏଥିରେ ଥିବା ଦୋଷ ତୃଟିରେ ସୁଧାର ନଆଣିବା ନିର୍ମାଣର ସ୍ୱଚ୍ଛତା ପ୍ରତି ଆଉ ଏକ ପ୍ରଶ୍ନବାଚୀ କରୁଛି । ଲିଖିତ ବିବରଣୀ ଅନୁଯାୟୀ ବର୍ଷ ୨୦୨୨ ସେପ୍ଟେମ୍ବର ମାସ ୫ ତାରିଖରୁ କାର୍ଯ୍ୟାରମ୍ଭ ହୋଇ ବର୍ଷ ୨୦୨୨ ସେପ୍ଟେମ୍ବର ମାସ ୪ ତାରିଖରେ ଉକ୍ତ ରାସ୍ତା ନିର୍ମାଣ ଶେଷ ହେବ । ତେଣୁ ଫଳକରେ ଥିବା ତୃଟିକୁ ସଠିକ୍ କରିବା ସହ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଯଥାଶିଗ୍ର ସାରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ବିଭିନ୍ନ ପଂଚାୟତବାସୀଙ୍କ ପକ୍ଷରୁ ଦାବି ହୋଇଛି ।