Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଚାଲିଥିବା ‘ନୂତନ ଶିକ୍ଷାନୀତି ୨୦୨୦ ଅନ୍ତରାଳରେ ଓଡ଼ିଶା ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ମାନଙ୍କ ଭୂମିକା ଓ ଦାୟିତ୍ୱ’ ଶୀର୍ଷକ ଗୁଣାତ୍ମକ ଶିକ୍ଷା ବିକାଶ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରେରଣା ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ନିର୍ଦ୍ଦେଶିକା ପ୍ରଫେସର ଏମ୍‌ ହିମବିନ୍ଦୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି କାର୍ଯ୍ୟକମର ସଫଳ ରୂପାୟନ ନିମନ୍ତେ ପ୍ରଂଶସା କରିବା ସହିତ ଉପସ୍ଥିତ ଶିକ୍ଷକ ମଣ୍ଡଳୀଙ୍କୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଲବ୍‌ଧ ଜ୍ଞାନ କୌଶଳ ନିଜ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବାକୁ ପ୍ରେରଣା ଦେଇଥିଲେ ।

କାର୍ଯ୍ୟକ୍ରମର କାର୍ଯ୍ୟକାରୀ ସଂଯୋଜକ ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମର ଆବାହକ ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ଓ ଅଂଶଗ୍ରହଣକାରୀମାନଙ୍କଠାରୁ ମତାମତ ସଂଗ୍ରହ କରିଥିଲେ । ଏହି ଅବସରରେ ବନ୍ୟପ୍ରାଣୀ ଓ ଜୈବବିବିଧତା ସୁରକ୍ଷା ବିଭାଗର ସହକାରୀ ପ୍ରଫେସର ଡ. ରବୀନ୍ଦ୍ର କୁମାର ମିଶ୍ର, ଲାଇବ୍ରେରୀ ଆଣ୍ଡ୍‌ ଇନ୍‌ଫରମେସନ ସାଇନ୍ସର ସହକାରୀ ପ୍ରଫେସର ଡ. ନବୀନ କୁମାର ସାହୁ, କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଶାନ୍ତିସ୍ୱରୁପ ବସା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବ୍ୟବସାୟ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ଡ. ସୀତାରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀ ମୁଖ୍ୟ ଅତିଥିଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ ।