Onn 3

ସହିଦ ପୁଅକୁ ଝୁରି ଝୁରି ଚାଲିଗଲେ ମା

State

Anandapur_1692376811-750x430

ଆନନ୍ଦପୁର: ପ୍ରଥମେ ସ୍ୱାମୀ ଓ ପରେ ପରେ ଦୁଇ ପୁଅଙ୍କୁ ହରାଇବା ପରେ ଏକ ମାତ୍ର ସାହାଭରସା ସାଜିଥିଲା ସାନପୁଅ । ହେଲେ ଦଇବ ସାଜିଲା ଦାଉ । ଯାହାର ମୁହଁକୁ ଚାହିଁ ଦିନ କାଟୁଥିଲା ମା’ ଆଜି ସେ ପୁଅ ଆଉ ଗୋଟେ ମା ପାଇଁ ସହିଦ ହେଇଗଲା । ଏବେ ଆଉ କାହା ମୁହଁକୁ ଅନେଇ ଦିନ କାଟିଥାନ୍ତେ ମା’ । ଶେଷରେ ସହିଦ ପୁଅକୁ ଝୁରି ଝୁରି ଚିର ନିଦ୍ରାରେ ଶୋଇଗଲେ ସହିଦଙ୍କ ମା’ । ସତରେ କେତେ ହୃଦୟ ବିଦାରକ ନା ଏହି ଘଟଣା । ଆମେ କହୁଛୁ ଗତ ୧୧ତାରିଖରେ ଝାଡଖଣ୍ଡଠାରେ ନକ୍ସଲ ମାନଙ୍କ ଆକ୍ରମଣରେ ସହିଦ ହୋଇଥିବା କେନ୍ଦୁଝର ମାଟିର ଓଡିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ କଥା । ପୁଅ ସହିଦର ୮ଦିନ ନପୁରୁଣୁ ତାଙ୍କୁ ଝୁରି ଝୁରି ଶେଷରେ ଚିର ନିଦ୍ରାରେ ଶୋଇଯାଇଛନ୍ତି ସୁଶାନ୍ତଙ୍କ ମା’ ସୁନ୍ଦରୀ ଖୁଣ୍ଟିଆ ।

ଗତ ୧୧ ତାରିଖରେ ଝାଡ଼ଖଣ୍ଡରେ ନକ୍ସଲଙ୍କ ଗୁଳି ମାଡ଼ରେ ସହିଦ ହୋଇଥିଲେ ଆନନ୍ଦପୁରର ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ । ଖବର ପାଇ ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିବା ବେଳେ ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆ ସମ୍ପୂର୍ଣ୍ଣ ଭାବରେ ବେସାହାରା ହୋଇ ପଡିଥିଲେ। ପୁଅକୁ ଝୁରି ଝୁରି ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିବା ମା ଙ୍କୁ ସମ୍ପର୍କୀୟ ମାନେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାର୍ଡିଆକ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ସୁଶାନ୍ତଙ୍କ ପରିବାର ଉପରେ ବର୍ତ୍ତମାନ ଯେପରି ଦୁଃଖର ପାହାଡ ଲଦି ହୋଇପଡିଛି । ମୃତ୍ୟୁର ଲୀଳା ଯେପରି ପୁରା ପରିବାରକୁ କବଳିତ କରି ରଖିଛି । ଗତ ୨୦୨୦ ଫେବୃୟାରୀ ୭ ତାରିଖରେ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା। ଦୁଇ ବର୍ଷ ପରେ ଅର୍ଥାତ୍ ୨୦୨୨ ମସିହାରେ କ୍ୟାନସରରେ ପ୍ରାଣ ହରାଇଥିଲେ ସୁଶାନ୍ତଙ୍କ ମଝିଆଁ ଭାଇ । ସେହିପରି ଚଳିତବର୍ଷ ଜାନୁଆରୀ ମାସରେ ପ୍ରାଣ ହରାଇଥିଲେ ତାଙ୍କ ବଡ଼ଭାଇ । ପରେ ଚଳିତବର୍ଷ ଅଗଷ୍ଟ ୧୧ ତାରିଖରେ ସୁଶାନ୍ତ ନକ୍ସଲ ଆକ୍ରମଣରେ ପ୍ରଣ ହରାଇଥିଲେ । ଆଉ ଏବେ ସୁଶାନ୍ତଙ୍କ ମା’ ଆଖି ବୁଜିଛନ୍ତି । ସୁନ୍ଦରୀଙ୍କ ଦେହାନ୍ତ ପରେ ପରିବାରରେ କେବଳ ସହିଦ ସୁଶାନ୍ତଙ୍କ ନବବିବାହିତ ପତ୍ନୀ ଓ ତାଙ୍କ ଭାଉଜ ରହିଯାଇଛନ୍ତି । ମାତ୍ର କିଛି ଦିନ ବ୍ୟବଧାନରେ ଗୋଟିଏ ପରିବାରର ଏତେ ଲୋକଙ୍କ ମୃତ୍ୟୁ, ଆନନ୍ଦପୁରରେ ଶୋକର ଛାୟା ଖେଳାଇ ଦେଇଛି ।


Post Views: 6